CrimeFeaturedLatestNews

ଗୋ-ମାଫିଆ ବିରୋଧରେ ପୂର୍ବାଞ୍ଚଳ ରେଞ୍ଜ ପୋଲିସର ବଡ ଅପରେସନ୍: ୩୩ ସ୍ଥାନରେ ଚଢାଉ

ବାଲେଶ୍ବର (ସଂକେତ ଟିଭି): : ଗୋରୁ ଚୋରି ଓ ଅବୈଧ ପରିବହନରେ ଲିପ୍ତ ‘ଗୋ-ମାଫିଆ’ ବିରୋଧରେ ପୋଲିସ ବଡ ଅପରେସନ୍ କରିଛି। ପୂର୍ବାଞ୍ଚଳ ରେଞ୍ଜ ପୋଲିସ୍ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘନଘନ ଚଢାଉ ଚାଲିଛି। ପୂର୍ବାଞ୍ଚଳ ରେଞ୍ଜର ଡିଆଇଜିଙ୍କ ନେତୃତ୍ବରେ ଏହି ଚଢାଉ ହୋଇଛି। କିଛି ଦିନ ହେବ ଏହି ୩ ଜିଲ୍ଲାରେ ବେଆଇନ ଗୋ-ଚାଲାଣ ଓ ଗୋରୁ ଚୋରିର ଖବର ମିଳିଥିଲା। ଏନେଇ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା।

ମଙ୍ଗଳବାର ଦିନ ପୋଲିସ ୩୩ଟି ସ୍ଥାନରେ ସମନ୍ୱିତ ଚଢାଉ କରି ସଂଗଠିତ ଚୋରାଚାଲାଣ ନେଟୱାର୍କକୁ ଭାଙ୍ଗିଦେଇଛି। ୧୮ ପ୍ଲାଟୁନ୍ ଫୋର୍ସ ସହଯୋଗରେ ହୋଇଥିବା ଏହି ଚଢାଉରୁ ୪୬ ଲକ୍ଷ ୧ ହଜାର ଟଙ୍କା, ଅସ୍ତ୍ରଶସ୍ତ୍ର, ସୁନା, ରୂପା, ଗାଡ଼ି ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ ହୋଇଛି। ମୋଟ ୧ କେଜି ୮୫୭ ଗ୍ରାମ ୧୬ ମିଲିଗ୍ରାମ ସୁନା, ୭ କେଜି ୮୭୩ ଗ୍ରାମ ରୂପା, ୨୫ ଚକ്കାଗାଡ଼ି, ୨ ତିନିଚକ୍କା ଓ ୩୩ ଦୁଇଚକ୍କା ଗାଡ଼ି ଜବତ ହୋଇଛି। ଏହାସହ ୬ଟି ତରବାରି, ଗୋଟେ ଖେଳନା ବନ୍ଦୁକ, ୭୦ଟି ବ୍ୟାଙ୍କ ପାସବୁକ୍, ୨୦ ଏଟିଏମ କାର୍ଡ, ୧୦ ମୋବାଇଲ୍ ଓ ୩୨ ଭୂମି ରେକର୍ଡ ମିଳିଛି। ୧୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ୩୨ଟି ଗୋରୁ ଉଦ୍ଧାର କରାଯାଇଛି।

ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର ଟାଉନ, ସଦର, ସୋରୋ ଓ ଖଇରା ଥାନା ଅଞ୍ଚଳର ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ସେଠାରୁ ୨୧.୮ ଲକ୍ଷ ଟଙ୍କା, ୫୦ ଗ୍ରାମ ସୁନା, ୧ କେଜି ରୂପା ଓ ୧୩ ଚ଼କ୍କାଗାଡ଼ି ଜବତ ହୋଇଛି। ୩୨ଟି ଗୋରୁ ଉଦ୍ଧାର କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର, ରାୟରଙ୍ଗପୁର ଓ ବେତନଟି ସବ୍ଡିଭିଜନ୍ର ୧୫ଟି ସ୍ଥାନରେ ଚଢାଉ କରାଯାଇ ୧୨.୦୭ ଲକ୍ଷ ଟଙ୍କା, ୨୧୨ ଗ୍ରାମ ସୁନା, ୨.୬୪ କେଜି ରୂପା, ୭ ଚକ୍କାଗାଡ଼ି, ୨ ତିନିଚକ୍କା, ୨୩ ମୋଟରସାଇକେଲ, ୪୦ ପାସବୁକ୍ ଓ ୨୩ ଭୂମି ରେକର୍ଡ ଜବତ କରାଯାଇଛି। ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।

ଭଦ୍ରକ ଜିଲ୍ଲାର ପୁରୁଣାବଜାର, ଭଦ୍ରକ ଗ୍ରାମ୍ୟ, ଧୁଷୁରି ଓ ଧାମନଗର ଥାନା ଅଞ୍ଚଳର ୯ଟି ସ୍ଥାନରେ ଚଢାଉ କରାଯାଇ ଗୁଲ୍ ମହମ୍ମଦ ଖାନଙ୍କ ଘରୁ ୧୨.୧୩ ଲକ୍ଷ ଟଙ୍କା, ୧.୫ କେଜି ସୁନା, ୪.୨୩ କେଜି ରୂପା ଜବତ ହୋଇଛି। ଏଠାରୁ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ନୀଳକଣ୍ଠପୁର ଓ ଗୁଜିଦାରଡ଼ାକୁ ଚୋରାଚାଲାଣର ମୁଖ୍ୟ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।

ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର କହିଛନ୍ତି ଯେ ନିୟମିତ ଚଢାଉ ଜାରି ରହିବ ଏବଂ ଏହି ଅପରେସନ୍ ମାଧ୍ୟମରେ ଆନ୍ତର୍ରାଜ୍ୟ ଗୋ-ଚୋରାଚାଲାଣ ନେଟୱାର୍କକୁ ଧ୍ୱଂସ କରାଯିବା ସହ ଅବୈଧ ବ୍ୟବସାୟର ଆର୍ଥିକ ଉତ୍ସକୁ ଧ୍ବଂସ କରି ଦିଆଯିବ।