ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ
ଭୁବନେଶ୍ୱର (ସଂକେତ ଟିଭି): ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ସେବାୟତଙ୍କୁ ଖୋଲାଖୋଲି ଧମକ ମିଳିଛି। ଏହି ଧମକପୂର୍ଣ୍ଣ ମେସେଜ୍ ସହିତ ଫୋନ୍ କଲ୍ ଆସିଛି ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ରଙ୍କୁ।
ଅଭିଯୁକ୍ତ ବ୍ୟକ୍ତି ୫୯ ଲକ୍ଷ ଟଙ୍କା ନଦେଲେ ସୋମବାର ଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା ସାକ୍ଷୀଗୋପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ, ଏହି ନମ୍ବରରୁ ପୂର୍ବରୁ ପୁରୀ ମନ୍ଦିରକୁ ଉଡାଇ ଦେବା ସହ ପୁରୀର ରାଜନେତାଙ୍କୁ ମଧ୍ୟ ଧମକ ମିଳିସାରିଛି। ବାସେଳୀସାହି ଥାନା ଓ ଟାଉନ ଥାନାରେ ଏହି ଅଭିଯୁକ୍ତ ବ୍ୟକ୍ତିଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇ କୋର୍ଟରେ ବିଚାରାଧୀନ ଅଛି।
ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇଛି। ମନ୍ଦିରରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ପ୍ରସ୍ତୁତି କରାଯାଉଛି।
