FeaturedGeneralLatest

ଟ୍ରେନ୍ ଓ ଷ୍ଟେସନରେ ବୁଲା ବିକାଳି, ଭିକ୍ଷାବୃତ୍ତି ଓ ଧୂମପାନ ନିଷେଧ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଆରାମକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ କଡ଼ାକଡ଼ି କରିଛି। ଏଣିକି ଟ୍ରେନ୍ କିମ୍ବା ରେଳ ପ୍ଲାଟଫର୍ମରେ ବୁଲା ବିକାଳିମାନେ ଖାଦ୍ୟ, ପାନୀୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ସେହିପରି ରେଳ ପରିସରରେ ଭିକ୍ଷାବୃତ୍ତିକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

କେବଳ ବ୍ୟବସାୟ ନୁହେଁ, ଟ୍ରେନ୍ ଭିତରେ ଯାତ୍ରୀମାନଙ୍କୁ ହଇରାଣ କରିବା, ଅଶ୍ଳୀଳ ଗାଳିଗୁଲଜ କରିବା କିମ୍ବା ନିଶା ସେବନ କରିବା ମଧ୍ୟ ଗୁରୁତର ଅପରାଧ ଭାବେ ବିବେଚିତ ହେବ। ଏହି ସବୁ କାର୍ଯ୍ୟ ବିରୁଦ୍ଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରଖାଯାଇଛି।

ନୂତନ ନିୟମ ଅନୁଯାୟୀ, ଟ୍ରେନ୍ କିମ୍ବା ଷ୍ଟେସନ୍ ପରିସରରେ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଟଙ୍କା ଜରିମାନା କରାଯିବ। ଏଥିସହ ତାଙ୍କ ଟିକେଟ୍ କିମ୍ବା ପାସ୍ ଜବତ କରାଯାଇପାରିବ ଏବଂ ତାଙ୍କୁ ଟ୍ରେନ୍ କିମ୍ବା ଷ୍ଟେସନ୍ରୁ ବାହାର କରାଯାଇପାରିବ।

ରେଳବାଇ ଆଇନର ଧାରା ୧୪୫ ଅଧୀନରେ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ୧,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇପାରିବ। ଯଦି ଚେତାବନୀ ପରେ ମଧ୍ୟ ଉକ୍ତ ବ୍ୟକ୍ତି ନ ସୁଧୁରନ୍ତି, ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରେଳ ପରିସରରେ ବିନା ଲାଇସେନ୍ସରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ରେଳବାଇ ଆଇନର ଧାରା ୧୪୪ ଅନୁଯାୟୀ, ଏପରି ମାମଲାରେ ୨,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଯଦି ବ୍ୟକ୍ତି ଜରିମାନା ଦେବାକୁ ଅସମର୍ଥ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ ୩ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ।

ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ଭିକ୍ଷା ମାଗିବାକୁ ଆଉ ଅନୁମତି ଦିଆଯିବ ନାହିଁ। ଅଧିକୃତ ରେଳ କର୍ମଚାରୀମାନେ ଏପରି ବ୍ୟକ୍ତିମାନଙ୍କୁ ତୁରନ୍ତ ଷ୍ଟେସନ୍ କିମ୍ବା ଟ୍ରେନ୍ ବାହାରକୁ ବାହାର କରିଦେବାର କ୍ଷମତା ରଖିଛନ୍ତି।

ଯଦି କୌଣସି ବ୍ୟକ୍ତି ବାରମ୍ବାର (୪ଥର କିମ୍ବା ତା’ଠାରୁ ଅଧିକ) ବେଆଇନ ଭାବରେ ସାମଗ୍ରୀ ବିକ୍ରି କରିବା କିମ୍ବା ଅନ୍ୟ ନିୟମ ଉଲ୍ଲଂଘନ କରିବା ଧରାପଡ଼ନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କ୍ଷେତ୍ରରେ ଅପରାଧୀଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।