ରାଜ୍ୟରେ ନିଗମ ଓ ବୋର୍ଡ ନିଯୁକ୍ତି ଶୀଘ୍ର : ମନମୋହନ ସାମଲ
ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଏହି ସବୁ ପଦବୀ ପୂରଣ ହୋଇପାରେ ବୋଲି ସେ କହିଛନ୍ତି।
ମନମୋହନ ସାମଲ କହିଛନ୍ତି ଯେ, ଜୁନ ୧୨ରେ ବିଜେପି ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ। ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ ନିଯୁକ୍ତି କରାଯିବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, କେବଳ ଖୋର୍ଦ୍ଧା ଜିଲ୍ଲାରେ ଏହା ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଆବଶ୍ୟକ ହେବ, ସେତେବେଳେ ଏହା କରାଯିବ। ସଂକଳ୍ପ ପତ୍ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଥିରୁ ୮୦ ପ୍ରତିଶତ ପୂରଣ ହୋଇସାରିଛି। ବାକି ଥିବା କାର୍ଯ୍ୟ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହି ଦୁଇ ରାଜ୍ୟର ନିର୍ବାଚନ ପାଇଁ ଓଡ଼ିଶାକୁ ୩୬ଟି ବିଧାନସଭା ଦାୟିତ୍ବ ଦିଆଯାଇଥିଲା। ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାଗୁଡ଼ିକରେ ଓଡ଼ିଶାର ଅଧିକା କର୍ମୀମାନେ ଯାଇଥିଲେ। ପ୍ରତି ବିଧାନସଭା ପାଇଁ ଜଣେ କିମ୍ବା ଦୁଇଜଣ କାର୍ଯ୍ୟକର୍ତ୍ତା ଯାଇଥିଲେ। ବର୍ତ୍ତମାନ ପଶ୍ଚିମବଙ୍ଗ ନିର୍ବାଚନ ସାଧାରଣ ଲୋକଙ୍କ ନିର୍ବାଚନରେ ପରିଣତ ହୋଇଛି। ଆସାମକୁ ଦୁଇଟି ପର୍ଯ୍ୟାୟରେ ୧୪ ଜଣ ଏବଂ ପଶ୍ଚିମବଙ୍ଗକୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ ବହୁ ସଂଖ୍ୟକ କର୍ମୀ ପଠାଯାଇଥିଲା ବୋଲି ସେ ଅବଗତ କରାଇଛନ୍ତି।
