FeaturedLatestNews

କେନ୍ଦୁଝର ଜିଲ୍ଲାରେ ଇ-ବସ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ସଂକେତ ଟିଭି): କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏକାଧିକ ଲୋକାଭିମୁଖୀ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ ୧୮୭ଟି ପ୍ରକଳ୍ପର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂତନ ଘୋଷଣା କରିଛନ୍ତି।

ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇଦେବା ପାଇଁ ୨୫ଟି ଅତ୍ୟାଧୁନିକ ଇ-ବସ୍ ସହିତ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଆମ ବସ’ ଡିପୋର ଲୋକାର୍ପଣ କରାଯାଇଛି। ଏହି ଇ-ବସ୍ ସେବାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ସୁଲଭ ଭଡ଼ା। ମାତ୍ର ୫ ଟଙ୍କାରୁ ବସ୍ ଭଡ଼ା ଆରମ୍ଭ ହେଉଥିବାରୁ ଏହା ଦୈନନ୍ଦିନ ଯାତ୍ରା କରୁଥିବା ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସହାୟକ ହେବ। ସମସ୍ତ ବସ୍ ଏସି (AC) ହୋଇଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରତିଟି ବସ୍ରେ ସିସିଟିଭି, ପ୍ୟାନିକ୍ ବଟନ୍ ଏବଂ ଜିପିଏସ୍ (GPS) ବ୍ୟବସ୍ଥା ରହିଛି, ଯାହାଦ୍ୱାରା ମହିଳାମାନେ ନିର୍ଭୟରେ ଯାତ୍ରା କରିପାରିବେ।

କେବଳ ପରିବହନ ନୁହେଁ, ବରଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏହି ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫୦ ଜଣ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଜଣ ମହିଳା ଗାଇଡ୍ ଏବଂ ୨ ଜଣ ମହିଳା ଡ୍ରାଇଭର ସାମିଲ ଅଛନ୍ତି। ଏହା ରାଜ୍ୟ ସରକାରଙ୍କ ‘ମହିଳା ଶକ୍ତି’ ଅଭିଯାନକୁ ସୁଦୃଢ଼ କରିଛି।

ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୭୦୫ କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଉ ୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।

କେନ୍ଦୁଝରବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ଦିନରେ ଏହି ଜିଲ୍ଲା ଅବହେଳିତ ହୋଇ ରହିଥିଲା। ଆମ ସରକାର ଆସିବା ପରେ କେନ୍ଦୁଝରର ବିକାଶ ତ୍ୱରାନ୍ୱିତ ହୋଇଛି। ଜିଲ୍ଲାରେ ଏକ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୦ ବର୍ଷ ହେଉଛି ଓଡ଼ିଶା ପାଇଁ ସଂକଳ୍ପର ଦଶକ, ଏବଂ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନରେ କେନ୍ଦୁଝରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ୬ ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ‘ଉଦ୍ୟମୀ’ ଯୋଜନାରେ ଚମ୍ପୁଆର ମା’ ମଙ୍ଗଳା ଏସଏଚଜି, ଯୋଡ଼ାର ବନିତା ନାଏକ ଏବଂ ଝୁମ୍ପୁରାର କେଦାର ଚନ୍ଦ୍ର ନାଏକଙ୍କୁ ୬୦,୦୦୦ ଟଙ୍କା ଲେଖାଏଁ ଏବଂ ନୀଲମ ମହାକୁଡ଼ଙ୍କୁ ୪୦,୦୦୦ ଟଙ୍କା ପ୍ରଦାନ କରାଯାଇଛି। ସମାରୋହରେ ଡକ୍ଟର ଫକୀର ମୋହନ ନାଏକ, ଅନନ୍ତ ନାଏକ, ଅଖିଳ ଚନ୍ଦ୍ର ନାଏକ, ମମିତା ନାଏକ ଏବଂ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।