FeaturedLatestNewsPolitics

ଜିତୁ ମୁଣ୍ଡା ଘଟଣା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦୁଝର ଜିଲ୍ଲାର ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଘଟିଥିବା ଜିତୁ ମୁଣ୍ଡାଙ୍କ ଅମାନବୀୟ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। ଏପ୍ରିଲ ୨୭ ତାରିଖରେ ଘଟିଥିବା ଏହି ଘଟଣାରେ ବ୍ୟାଙ୍କ ପକ୍ଷରୁ ଅମାନବୀୟ ଆଚରଣ କରାଯାଇଥିବା ଅଭିଯୋଗ କରି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିଜ ଭଉଣୀର ଗଳିତ ଶବକୁ ଗାତରୁ ବାହାର କରି ବ୍ୟାଙ୍କ ସମ୍ମୁଖରେ ରଖି ଟଙ୍କା ମାଗିବାର ଏଭଳି ଦାରୁଣ ଘଟଣା ସମଗ୍ର ଓଡ଼ିଶାର ଜନଭାବନାକୁ ଆଘାତ ଦେଇଛି।

ନବୀନ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାକୁ ଯଥାର୍ଥ କରିବା ପାଇଁ ବ୍ୟାଙ୍କ ଆରବିଆଇର ନିର୍ଦ୍ଦେଶାବଳୀର ଆଳ ଦେଖାଉଛି, ଯାହା ବ୍ୟାଙ୍କ ଅଧିକାରୀମାନଙ୍କର ଦାୟିତ୍ୱହୀନତାକୁ ଲୁଚାଇବାର ଚେଷ୍ଟା। ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ନୁହେଁ, ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏହି ଘଟଣା ନ୍ୟୁୟର୍କ ପୋଷ୍ଟ ଏବଂ ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି। ତେଣୁ ଏଭଳି ତ୍ରୁଟି ପାଇଁ ତୁରନ୍ତ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ, ନବୀନଙ୍କ ଚିଠିକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦାନ ମାଝୀ ଘଟଣା ସମୟରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ କ’ଣ ହୋଇଥିଲା ଏବଂ କିଏ କାହାକୁ ଚିଠି ଲେଖିଥିଲା, ତାହା ସେ ଭୁଲି ଯାଇଛନ୍ତି। ଆଇନ ମନ୍ତ୍ରୀ କହିଛନ୍ତି, ଚିଠି ଲେଖା ଓ ସୋସିଆଲ ମିଡ଼ିଆରେ ଗାଳି ଦେବା ବ୍ୟତୀତ ସେ ଅଧିକ କିଛି କରିପାରିବେ ନାହିଁ। ବର୍ତ୍ତମାନ ଜିତୁ ମୁଣ୍ଡା ଘଟଣାଟି ଏକ ବ୍ୟାଙ୍କିଂ ସମସ୍ୟା, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାର ଲଗାତର ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି। ଚିଠି ଲେଖିବାର ଡ୍ରାମା ବନ୍ଦ କରିବାକୁ ନବୀନଙ୍କୁ ପରାମର୍ଶ ଦେଇ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଯାହା କରିବା କଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାହା କରିଛନ୍ତି।