EducationFeaturedLatestNews

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୫.୩୩%

ଭୁବନେଶ୍ୱର (ସଂକେତ ଟିଭି): ଶୁକ୍ରବାର କଟକ ବୋର୍ଡ ଅଫିସ ଠାରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ସାମଗ୍ରିକ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ଏଥିରେ
ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଥିବା ବେଳେ, କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ରହିଛି। ମୋଟ ୩,୩୧୦ ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି।

ଗ୍ରେଡ୍ ଅନୁଯାୟୀ ଫଳାଫଳ:

  • ଏ୧ ଗ୍ରେଡ: ୨,୪୫୬ ଜଣ
  • ଏ୨ ଗ୍ରେଡ: ୧୫,୬୮୧ ଜଣ
  • ବି୧ ଗ୍ରେଡ: ୪୩,୫୬୫ ଜଣ
  • ବି୨ ଗ୍ରେଡ: ୮୬,୧୦୩ ଜଣ
  • ସି ଗ୍ରେଡ: ୧,୨୯,୮୧୩ ଜଣ
  • ଡି ଗ୍ରେଡ: ୧,୪୦,୧୫୨ ଜଣ
  • ଇ ଗ୍ରେଡ: ୯୫,୪୮୧ ଜଣ

ଏଥର ମାଟ୍ରିକ ପରୀକ୍ଷାରେ ଝିଅମାନେ ବାଜିମାତ କରିଛନ୍ତି। ୨,୬୩,୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨,୫୬,୦୨୯ ଛାତ୍ର ପାସ୍ କରିଛନ୍ତି, ଅର୍ଥାତ୍ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି।

ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ଲଗଇନ୍ କରି ଫଳାଫଳ ଜାଣିପାରିବେ। ଏହା ସହିତ ମୋବାଇଲ୍ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ। ସୋମବାରଠାରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ ହେବ।

ମେ ୮ରୁ ସପ୍ଲିମେଣ୍ଟାରୀ ଆବେଦନ ଆରମ୍ଭ ହେବ। ଫେଲ୍ ହୋଇଥିବା, ଫର୍ମ ପୂରଣ କରିପାରି ନଥିବା ତଥା ଅନୁପସ୍ଥିତି କାରଣରୁ ପରୀକ୍ଷା ଦେଇନଥିବା ପିଲାମାନେ ୮ ତାରିଖରୁ ୧୮ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଜୁଲାଇର ପ୍ରଥମ ସପ୍ତାହରେ ଏହି ପରୀକ୍ଷା କରାଯିବାକୁ ଯୋଜନା ରହିଛି ଏବଂ ଅଗଷ୍ଟରେ ରେଜଲ୍ଟ ପ୍ରକାଶ ପାଇବ।

ଫେବୃଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା। ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍ଅପ୍ କରିଥିଲେ, ମାତ୍ର ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୯ ହଜାର ୯୩୦ ଜଣ ଅନୁପସ୍ଥିତ ରହିଥିଲେ (ଅନୁପସ୍ଥିତି ହାର ୧.୮୧%)।

ଚଳିତ ବର୍ଷଠାରୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ୍ ଓ ମାର୍କସିଟ୍ ମିଳିବ। ଏହା ପ୍ରଥମ କରି ଆରମ୍ଭ ହୋଇଛି।

ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବାକୁ ବିଶେଷ ସ୍କ୍ବାଡ୍ ଗଠନ କରାଯାଇଥିଲା, ଯାହା ସରପ୍ରାଇଜ୍ ଭିଜିଟ୍ କରିଥିଲା। ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଥିଲା। ମାଓ ଅଧ୍ୟଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ୍ ସେଣ୍ଟର କରାଯାଇଥିଲା।

ଗତ ବର୍ଷ (ମେ ୨ ତାରିଖରେ ପ୍ରକାଶିତ) ପାସ୍ ହାର ୯୬.୦୭% ଥିଲା, ୨,୬୪୪ଟି ସ୍କୁଲ ଶତପ୍ରତିଶତ ରେଜଲ୍ଟ କରିଥିଲେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଓ ନୂଆପଡ଼ା ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ଥିଲା।