୨ ଭଉଣୀଙ୍କ ଜଳ ସମାଧି: ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସାଆନ୍ତା ନିକଟ ଭୂଇଁପଡ଼ା ଗ୍ରାମରେ ଏକ ହୃଦୟ ବିଦାରକ ଅଘଟଣ ଘଟିଛି। ପୋଖରୀରେ ଗାଧୋଉଥିବା ବେଳେ ୨ (ଦୁଇ) ସମ୍ପର୍କୀୟା ଭଉଣୀଙ୍କର ବୁଡ଼ି ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଭୂଇଁପଡ଼ା ଗାଁର ସଞ୍ଜୟ ମଲ୍ଲିକଙ୍କ ୧୦ ବର୍ଷୀୟା ଝିଅ ଅନ୍ନପୂର୍ଣ୍ଣା ମଲ୍ଲିକ ଏବଂ ସୁଜିତ ମଲ୍ଲିକଙ୍କ ୧୦ ବର୍ଷୀୟା ଝିଅ ଅନ୍ୟାସା।
ସୂଚନା ଅନୁଯାୟୀ, ଦୁଇ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ, ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା।
ଉଭୟଙ୍କ ମୃତ୍ୟୁ ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମେଡିକାଲ ଓ ଗ୍ରାମରେ ପରିବାର ଲୋକଙ୍କ କାନ୍ଦବୋବାଳିରେ ପରିସ୍ଥିତି ବିକଳ ହୋଇଠିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ: ଗତମାସ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରାରେ ଏହି ପ୍ରକାର ଅଘଟଣ ଘଟିଥିଲା। ସେଠାରେ ଦୁଇ ପରିବାରର ୫ରୁ ୯ ବର୍ଷ ମଧ୍ୟରେ ୩ (ତିନି) ଶିଶୁ କନ୍ୟା ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ମୃତ୍ୟୁବରଣ କରିଥିଲେ।
