୧୦ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ଆକଳନ କରିଛି। ପୂର୍ବରୁ GFS ମଡେଲ ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ପରେ ECMWF ମଡେଲ ଭିନ୍ନ ଅନୁମାନ କରିଥିଲା।
IMD ପୂର୍ବାନୁମାନ କରିଛି ଯେ, ଆସନ୍ତା ୧୨ ତାରିଖ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ତେବେ Cyclogenesis ଅର୍ଥାତ୍ ଅବପାତ ସୃଷ୍ଟି ହେବାର ସମ୍ଭାବନା କମ୍ ରହିଛି। ଏହା କେଉଁ ଆଡକୁ ଗତି କରିବ, ତାହା ଏବେ ଅସ୍ପଷ୍ଟ ରହିଛି।
ତଥାପି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାନେଇ ଅନୁମାନ କରାଯାଉଛି। ବର୍ତ୍ତମାନ ମଧ୍ୟ ଭାରତରେ ଏକ ‘ଟ୍ରାପ୍ ଲାଇନ୍’ ସକ୍ରିୟ ରହିଛି, ଯାହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି। ୧୧ ତାରିଖ ବେଳକୁ ଯଦି ଏହି ଟ୍ରାପ୍ ଲାଇନ୍ ଦୁର୍ବଳ ହୁଏ, ତେବେ ସେତେବେଳେ ଲଘୁଚାପ କ୍ଷେତ୍ରଟିର ଗତିପଥ ସ୍ପଷ୍ଟ ହୋଇପାରିବ।
ପ୍ରଫେସର ପଶୁପାଳକ କହିଛନ୍ତି ଯେ, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବ ଅପେକ୍ଷା ୧ ଡିଗ୍ରୀ ବୃଦ୍ଧି ପାଇ ୩୦-୩୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପବନର ବେଗ ପୂର୍ବରୁ ୪୬ରୁ ୫୫ କିମି/ଘଣ୍ଟା ଥିଲା, କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇ ୩୭ କିମି/ଘଣ୍ଟାରେ ପହଞ୍ଚିଛି। ପବନର ବେଗ କମିବା ଲଘୁଚାପକୁ ଘନୀଭୂତ ହେବାରେ ସହାୟକ ହେବ।
