FeaturedGeneralLatest

କ୍ରୁଜ୍ ଜାହାଜରେ ହଣ୍ଟାଭାଇରସ୍: ୩ ମୃତ୍ୟୁ, ୨ ଭାରତୀୟ ସଂକ୍ରମିତ

ନୂଆଦିଲ୍ଲୀ(ସଂକେତ ଟିଭି): ଆଟଲାଣ୍ଟିକ ମହାସାଗରରେ କେପ୍ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ୍ ଜାହାଜ ‘ଏମ୍ ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍ ବ୍ୟାପିବା ଘଟଣା ସମସ୍ତଙ୍କୁ ଭୟଭୀତ କରିଛି। ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଅଛନ୍ତି।

ଏହି ଜାହାଜରେ ହଣ୍ଟାଭାଇରସ୍ ବ୍ୟାପିଥିବାବେଳେ ଏଥିରେ ୧୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ‘ଓସିଏନ୍ ୱାଇଡ୍ ଏକ୍ସପେଡିସନ୍ସ’ କମ୍ପାନିର ଏହି ବିଳାସପୂର୍ଣ୍ଣ ଜାହାଜ ଏପ୍ରିଲ୍ ପହିଲାରେ ଆର୍ଜେଣ୍ଟିନାର ଉସୁଆଇଆଠାରୁ ଯାତ୍ରା ଆରମ୍ଭ କରିଥିଲା। ମେ ୧୦ ତାରିଖ ସୁଦ୍ଧା ଏହା ସ୍ପେନ୍ର କେନରି ଦ୍ଵୀପରେ ପହଞ୍ଚିବାର ସମ୍ଭାବନା ରହିଛି।

ଯାତ୍ରା ଆରମ୍ଭ ବେଳେ ଜାହାଜରେ ୨୮ ଦେଶର ୧୫୦ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ। ଏପ୍ରିଲ୍ ୧୧ ତାରିଖରେ ଜାହାଜରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୨୪ ଏପ୍ରିଲ୍ରେ ତାଙ୍କ ମୃତଦେହ ସେଣ୍ଟ ହେଲେନା ଦ୍ଵୀପରେ ଛାଡ଼ି ଦିଆଯାଇଥିଲା। ପରେ ଉକ୍ତ ଯାତ୍ରୀଙ୍କ ପତ୍ନୀ ଅସୁସ୍ଥ ହୋଇ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟ ଡଚ୍ ନାଗରିକ ଥିଲେ।

ଏପ୍ରିଲ୍ ୨୭ରେ ଆଉ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ ଏବଂ ମେ ୨ରେ ଜଣେ ଜର୍ମାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO) ଚେତାବନୀ ଦେଇ ଜାହାଜଟିକୁ କେପ୍ ଭର୍ଡେଠାରେ ଅଟକିବାକୁ କହିଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ଜାହାଜରେ ଫିଲିପାଇନ୍ସର ୩୮, ବ୍ରିଟେନର ୩୧, ଆମେରିକାର ୨୩, ନେଦରଲ୍ୟାଣ୍ଡ୍ର ୧୬, ସ୍ପେନ୍ର ୧୪, ଜର୍ମାନୀର ୯, କାନାଡାର ୬ ଏବଂ ଭାରତର ୨ ଜଣ କ୍ରୁ ସଦସ୍ୟ ଥିଲେ।

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ହଣ୍ଟାଭାଇରସ୍ ନେଇ ଚେତାବନୀ ଜାରି କରିଛି। ଏହା କୋଭିଡ୍-୧୯ ଭାଇରସ୍ ପରି ନୁହେଁ ବୋଲି WHO ସ୍ପଷ୍ଟ କରିଛି। ହଣ୍ଟାଭାଇରସ୍ ସାଧାରଣତଃ ମୂଷାଠାରୁ ବ୍ୟାପିଥାଏ, ଏବଂ ଏହା ମନୁଷ୍ୟଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପିପାରେ।