FeaturedGeneralLatestPolitics

ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା (ସଂକେତ ଟିଭି):ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଛି। ଆଜି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନବମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ରାଜ୍ୟପାଳ ଆର.ଏନ. ରବି ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଶାସିତ ରାଜ୍ୟର ବିଭିନ୍ନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ପରେ ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେହିପରି, ବରିଷ୍ଠ ନେତା ଦିଲୀପ ଘୋଷ ରାଜ୍ୟ କ୍ୟାବିନେଟର ସଦସ୍ୟ ଭାବରେ ଶପଥ ନେଇଛନ୍ତି। ଶୁଭେନ୍ଦୁ ଓ ଦିଲୀପଙ୍କ ବ୍ୟତୀତ ଅଗ୍ନିମିତ୍ର ପାଲ, ନିଶିଥ ପ୍ରାମାଣିକ, ଅଶୋକ କିର୍ତ୍ତାନିଆ ଏବଂ ଖୁଦିରାମ ଟୁଡୁ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ବିଜେପି ଏହି କ୍ୟାବିନେଟ ଗଠନରେ ଏକ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରିଛି। ଖଡ଼ଗପୁର ସଦରରୁ ବିଜୟୀ ଦିଲୀପ ଘୋଷ, କୁଚ୍ ବିହାରର ମାଠଭାଙ୍ଗରରୁ ନିଶିଥ ପ୍ରାମାଣିକ, ଆସାନସୋଲ ଦକ୍ଷିଣରୁ ଅଗ୍ନିମିତ୍ର ପାଲ, ବାଙ୍କୁରାର ରାଣୀବନ୍ଧରୁ ଖୁଦିରାମ ଟୁଡୁ ଏବଂ ବନଗାଓଁ ଉତ୍ତରରୁ ଅଶୋକ କୀର୍ତ୍ତିନିଆଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଛି। ଏଥିରେ ମତୁଆଙ୍କଠାରୁ ଆରମ୍ଭ କରି ଆଦିବାସୀ ସମ୍ପ୍ରଦାୟ, ମହିଳା ଏବଂ ଉତ୍ତର ବଙ୍ଗର ପ୍ରତିନିଧିତ୍ୱ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବତନ ଟୁଇଟର) ରେ ଏକ ପୋଷ୍ଟରେ ଲେଖିଛନ୍ତି, “ପଶ୍ଚିମବଙ୍ଗ ପାଇଁ ପ୍ରକୃତରେ ଏକ ଐତିହାସିକ ସୂର୍ଯ୍ୟୋଦୟ। ଆନନ୍ଦ ନଗରୀରେ ଦୂରଦୃଷ୍ଟି ସମ୍ପନ୍ନ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବା ଗୌରବର ବିଷୟ। ଆଜି ଦଶନ୍ଧି ଧରି ଚାଲିଥିବା କୁଶାସନର ଅନ୍ତ ଘଟିଛି ଏବଂ ବିକାଶ, ଶାନ୍ତି ଓ ସମୃଦ୍ଧିର ଡବଲ-ଇଞ୍ଜିନ୍ ଯୁଗ ଆରମ୍ଭ ହୋଇଛି। ‘ସୋନାର ବଙ୍ଗଳା’ ଯୁଗ ଆନୁଷ୍ଠାନିକ ଭାବରେ ଆରମ୍ଭ ହେଉଛି।”