FeaturedLatestNews

ଶିକାରୀଙ୍କ ଫାଶରେ ପଡ଼ି କଲରାପତରିଆ ବାଘର ମୃତ୍ୟୁ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ନୀଳଗିରି ରେଞ୍ଜ ଅଧୀନ କାଠଗୋଛି ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ଚାଲିଆସି କାଠଗୋଛି ଜଙ୍ଗଲ ଅଞ୍ଚଳକୁ ପ୍ରବେଶ କରିଥିଲା। ସେଠାରେ ପୂର୍ବରୁ ଲାଗିଥିବା ଶିକାରୀଙ୍କ ଫାଶରେ ପଡ଼ିଯାଇଥିବା ଅନୁମାନ କରାଯାଉଛି।

ମଙ୍ଗଳବାର ସକାଳେ ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁଯାଇଥିଲେ। ସେମାନେ ବାଘଟିକୁ ଫାଶରେ ଝୁଲିଥିବା ଅବସ୍ଥାରେ ଦେଖିବାର କିଛି ସମୟ ପରେ ବାଘଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ମୃତ ବାଘଟି ପ୍ରାୟ ୮ରୁ ୧୦ ବର୍ଷ ବୟସ୍କ ପୁରୁଷ ବାଘ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଫାଶ ବାର୍ହା ଶିକାର ପାଇଁ ଶିକାରୀମାନେ ଲଗାଇଥିଲେ। ଏହି ଘଟଣାରେ ଏକ ମିଳିତ ଟାସ୍କ ଫୋର୍ସ (ଜେଟିଏଫ) ଗଠନ କରାଯାଇ ଅପରାଧୀଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରଖିଛି।