ଟ୍ରଲରକୁ ପଛପଟୁ ପିଟିଲା କାର୍, ୬ ମାସର ଗର୍ଭବତୀ ବୋହୂଙ୍କ ମୃତ୍ୟୁ, ୨ ଗୁରୁତର
ବାରିପଦା (ସଂକେତ ଟିଭି): ମଙ୍ଗଳବାର ବିଳମ୍ବିତ ରାତିରେ ଗଡ଼ଦେଉଳିଆ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଉପାଧ୍ୟକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆ ଓ ତାଙ୍କ ସାନ ପୁଅ ଅଭିଷେକ ଆହତ ହୋଇଛନ୍ତି। ଅଭିଷେକଙ୍କ ଅବସ୍ଥା ଗୁରୁତର ଥିବାବେଳେ ଦୁର୍ଘଟଣାରେ ତାଙ୍କର ୬ ମାସର ଗର୍ଭବତୀ ପତ୍ନୀଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, କମଳା ତିରିଆ ତାଙ୍କ ସାନ ପୁଅ ଓ ବୋହୂଙ୍କ ସହିତ ଗତକାଲି ନିଜର କାର (ନମ୍ବର OD11AA-8181)ରେ ଭୁବନେଶ୍ୱରରୁ ମେଡିକାଲ ଚେକ୍-ଅପ୍ କରି ବାରିପଦା ଫେରୁଥିଲେ। ରାତି ପ୍ରାୟ ୧୧.୩୦ ସମୟରେ ବାଲେଶ୍ୱର-ବୈଶିଙ୍ଗା ୧୮ ନମ୍ବର ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରଲର ପଛପଟୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଫଳରେ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା।
ଧକ୍କା ଏତେ ଶକ୍ତ ଥିଲା ଯେ କାର୍ ଚଳାଉଥିବା ଅଭିଷେକ, ସମ୍ମୁଖରେ ବସିଥିବା ତାଙ୍କ ଗର୍ଭବତୀ ପତ୍ନୀ ଦୀପ୍ତିରେଖା ସିଂହ (୩୨) ଏବଂ ପଛସିଟରେ ଥିବା କମଳା ତିରିଆ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରେମୁଣା (ବାଲେଶ୍ୱର) ମେଡିକାଲ କଲେଜକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୀପ୍ତିରେଖା ଏବଂ ତାଙ୍କର ଅଜାତ ଶିଶୁର ମୃତ୍ୟୁ ହୋଇଥିଲା।
ଅଭିଷେକ ଓ କମଳା ତିରିଆଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ଅବସ୍ଥା ସ୍ଥିର ଥିବାବେଳେ ଅଭିଷେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
