FeaturedLatestNews

ରାଜ୍ୟରେ ୧୩ ଦିନର ତେଲ ମହଜୁଦ, ଛାନିଆ ହୋଇ ତେଲ ନକିଣିବାକୁ ମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ରହିଛି। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି IOCL ସିଜିଏମ୍ କମଲ ସିଲ୍। ପର୍ଯ୍ୟାପ୍ତ ତେଲ ଥିବାରୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି, ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଅଯଥା ଅଧିକ ତେଲ କିଣନ୍ତୁ ନାହିଁ।

ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସପ୍ଲାଏ ରିଲିଜ୍ କରାଯାଇଛି। ସାଧାରଣତଃ ଗୋଟିଏ ଟାଙ୍କି ପାଖରେ ୨ରୁ ୩ ଦିନର ତେଲ ଥାଏ। କିନ୍ତୁ ହଠାତ୍ ୩୦ରୁ ୪୦% ବିକ୍ରି ବୃଦ୍ଧି ପାଇଲେ ଡ୍ରାଏ ଆଉଟ୍ ସମସ୍ୟା ଉପୁଜେ। ଦେଶରେ ଗତ ୨ରୁ ୩ ଦିନ ଭିତରେ ପେଟ୍ରୋଲ ବିକ୍ରି ୩୭ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ ଗ୍ରାହକ ସଂଖ୍ୟା ୩୦-୪୦% ବଢିଯାଏ, ସେତେବେଳେ ପମ୍ପ୍ ଖାଲି ହୋଇଯାଏ। କମଲ ସିଲ୍ ସ୍ପଷ୍ଟ କରିଛନ୍ତି ଯେ ଏହା ତେଲ ଅଭାବ ନୁହେଁ, ବରଂ ଅତିରିକ୍ତ ଭିଡ଼ ଯୋଗୁଁ ହେଉଛି।

ଏହି ପରିପ୍ରେକ୍ଷୀରେ IOCL ପକ୍ଷରୁ ୩ଟି ଅପିଲ୍ କରାଯାଇଛି:

୧. ଗାଡ଼ି ଟ୍ୟାଙ୍କରେ ଯେତିକି ଧରେ, ସେତିକି ଇନ୍ଧନ ଭରନ୍ତୁ।

୨. ପ୍ଲାଷ୍ଟିକ୍ ବୋତଲରେ ତେଲ ଗଚ୍ଛିତ କରନ୍ତୁ ନାହିଁ।

୩. ୨୦୦-୫୦୦ ଟଙ୍କାର ଲିମିଟ୍ ରଖିବା ଗୁଜବ। ‘ସଫିସିଏଣ୍ଟ ତେଲ’ ସମସ୍ତଙ୍କୁ ମିଳିବ।

ସେହିପରି LPG ବୁକିଂ କଲେ ୫ ଦିନ ମଧ୍ୟରେ ଡେଲିଭରି ଗ୍ୟାରେଣ୍ଟି ରହିଛି। CNG ଷ୍ଟେସନଗୁଡ଼ିକ ଚାଲୁ ରହିଛି। ରାଜ୍ୟରେ ଫୁଏଲ୍ ଫୁଲ୍ ଅଛି। ଅସୁବିଧା ଯୋଗାଣର ନୁହେଁ, ବରଂ ଧାରଣାର। ଦୟାକରି ପ୍ୟାନିକ୍ ହୁଅନ୍ତୁ ନାହିଁ। ପମ୍ପ୍ରେ ଫିଲ୍ଡ ଅଫିସର ନିୟୋଜିତ ଅଛନ୍ତି। କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବାକୁ IOCL ଅନୁରୋଧ କରିଛି। ତେଲ ସରିନାହିଁ, କେବଳ ଧୈର୍ଯ୍ୟ ଧରନ୍ତୁ।

ଅନ୍ୟପଟେ ତେଲ ସଙ୍କଟ ଦୂର କରିବା ପାଇଁ ୨ ବର୍ଷ ଇଥାନେଲ ମିଶ୍ରିତ ତେଲ ଯୋଗାଣ କରାଯାଉଛି। ଦେଶ ମଧ୍ୟରେ ଓଡ଼ିଶାରେ ସର୍ବାଧିକ ତେଲ ବିକ୍ରି ହେଉଛି। ଡିଲରମାନେ କୌଣସି ଗଡବଡ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି IOCL ସୂଚନା ଦେଇଛି।

ଏଭଳି ଅଯଥା ଅଧିକ ତେଲ କିଣି ଚାପ ସୃଷ୍ଟି କରନ୍ତୁ ନାହିଁ। ତେଲ କିଣିବାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ। IOCL ପକ୍ଷରୁ କୁହାଯାଇଛି ଯେ ଅଧିକ ଭିଡ଼ ହେଲେ ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ପମ୍ପ୍ ମାଲିକ ଏଭଳି ନିୟମ କରିପାରନ୍ତି।

ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ପର୍ଯ୍ୟାପ୍ତ ପରିମାଣର ତେଲ ମହଜୁଦ ରହିଛି।

ରାଜ୍ୟରେ ୧୩ ଦିନର ଆବଶ୍ୟକତା ପୂରଣ କରିବା ଭଳି ତେଲ ସଂରକ୍ଷିତ ଅଛି। ତେଣୁ ଅଯଥାରେ ଆତଙ୍କିତ ହୋଇ ତେଲ ନ କିଣିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ତେଲ ସରିଯିବା ଭୟରେ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି। ପୂର୍ବରୁ ୧୦୦ ଟଙ୍କାରେ ତେଲ କିଣୁଥିବା ଲୋକମାନେ ବର୍ତ୍ତମାନ ୫୦୦ ଟଙ୍କାରେ ତେଲ ପକାଉଛନ୍ତି।

ଗତ ଦୁଇ ଦିନ ଭିତରେ ତେଲ ଚାହିଦା ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧିକ ବୃଦ୍ଧି ପାଇଛି। ଯେତିକି ତେଲ ଆବଶ୍ୟକ କେବଳ ସେତିକି କିଣିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ଜାରକିନ୍ ଓ ଟିଣ ଡବାରେ ତେଲ ନେଇ ଘରେ ମହଜୁଦ ରଖନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି।

ପେଟ୍ରୋଲ ପମ୍ପରେ ହେଉଥିବା ଭିଡ଼ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ହଠାତ୍ ଭିଡ଼ ବଢ଼ିଯିବାରୁ କେତେକ ପେଟ୍ରୋଲ ପମ୍ପ ମାଲିକ ସମସ୍ତ ଗ୍ରାହକଙ୍କୁ ତେଲ ଦେବା ପାଇଁ ସୀମିତ ପରିମାଣରେ ତେଲ ଦେଉଛନ୍ତି। ଏହା ଅଭାବ ପାଇଁ ନୁହେଁ। ସରକାରଙ୍କ ତରଫରୁ ପେଟ୍ରୋଲ ପମ୍ପମାନଙ୍କୁ ଏନେଇ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ଅଭାବ ନାହିଁ, କେବଳ କିଛି ପମ୍ପରେ ଭିଡ଼ ଯୋଗୁଁ ସାମୟିକ ଅସୁବିଧା ହେଉଛି।