FeaturedLatestNews

ଗାଁକୁ ଯିବ ତହସିଲ ଅଫିସ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନେ ସିଧାସଳଖ ଗାଁକୁ ଯିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ, ‘ମୋ ଗାଁ ମୋ ତହସିଲ’ ନାମକ ଏକ ନୂଆ ଯୋଜନା ଆସନ୍ତା ୨ ବର୍ଷ ପୂର୍ତ୍ତି ଅବସରରେ ଆଣିବାକୁ ବିଭାଗ ପଦକ୍ଷେପ ନେଉଛି। ଏହି ଯୋଜନା ଅନ୍ତର୍ଗତ ତହସିଲ ଅଫିସଗୁଡ଼ିକ ଗ୍ରାମସ୍ତରରେ ପହଞ୍ଚିବ ଏବଂ ଲୋକଙ୍କ ସମସ୍ୟା ସ୍ଥାନୀୟ ସ୍ତରରେ ସମାଧାନ କରିବ।

ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତି ଦିଆଯାଉଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲ୍ଲା ବୁଲିବେ, ରାତିରହଣୀ କରି ସ୍ଥାନୀୟ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବେ। ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳର ଲୋକମାନେ ସେମାନଙ୍କ ଜମି, ଜମିର କିସମ ପରିବର୍ତ୍ତନ, ବଂଶାନୁକ୍ରମିକ ସମ୍ପତ୍ତି ଭଳି ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସହଜରେ ସମାଧାନ ପାଇପାରିବେ।

ରାଜ୍ୟର ପୁରୁଣା ବିସ୍ଥାପନ ଓ ଥଇଥାନ ନୀତି ପୂରଣ ହୋଇଥିବାରୁ ରାଜସ୍ୱ ବିଭାଗ ଏକ ନୂତନ ନୀତି ପ୍ରଣୟନ କରିବ। ଏଥିପାଇଁ ବିଭିନ୍ନ ରାଜ୍ୟରେ ପ୍ରଚଳିତ ବିସ୍ଥାପନ ଓ ଥଇଥାନ ନୀତିଗୁଡ଼ିକର ଅନୁଧ୍ୟାନ କରାଯିବ। ସେହିପରି ସହରାଞ୍ଚଳରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ବ୍ୟବସ୍ଥାକୁ ମଧ୍ୟ ଅଧିକ ସରଳୀକରଣ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି।