ପେଟ୍ରୋଲ ଲିଟର ପିଛା ୯୩ ପଇସା ଓ ଡିଜେଲ ଲିଟର ପିଛା ୯୬ ପଇସା ବୃଦ୍ଧି
ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ଜୀବନ ଜିଇଁବାର ଖର୍ଚ୍ଚ। ଗୋଟିଏ ପଟେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଥିବା ବେଳେ, ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିଛି।
ମଙ୍ଗଳବାର ସକାଳୁ ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ଗତ ଶୁକ୍ରବାର ତେଲ ଦର ପ୍ରାୟ ୩ ଟଙ୍କା ବଢ଼ିବା ପରେ, ଚଳିତ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ବୃଦ୍ଧି।
ପ୍ରମୁଖ ସହରଗୁଡ଼ିକରେ ନୂଆ ଦର:
- ଦିଲ୍ଲୀ: ପେଟ୍ରୋଲ ୮୭ ପଇସା ବଢ଼ି ୯୮.୬୪ ଟଙ୍କା, ଡିଜେଲ ୯୧ ପଇସା ବଢ଼ି ୯୧.୫୮ ଟଙ୍କା।
- ମୁମ୍ବାଇ: ପେଟ୍ରୋଲ ୯୧ ପଇସା ବଢ଼ି ୧୦୭.୫୯ ଟଙ୍କା, ଡିଜେଲ ୯୪ ପଇସା ବଢ଼ି ୯୪.୦୮ ଟଙ୍କା।
- କୋଲକାତା: ପେଟ୍ରୋଲ ୯୬ ପଇସା ବଢ଼ି ୧୦୯.୭୦ ଟଙ୍କା, ଡିଜେଲ ୯୪ ପଇସା ବଢ଼ି ୯୬.୦୭ ଟଙ୍କା।
- ଚେନ୍ନାଇ: ପେଟ୍ରୋଲ ୮୨ ପଇସା ବଢ଼ି ୧୦୪.୪୯ ଟଙ୍କା, ଡିଜେଲ ୮୬ ପଇସା ବଢ଼ି ୯୬.୧୧ ଟଙ୍କା।
ଆନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୧୧ ଡଲାର ଟପିଯାଇଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟାନ୍ୟ ଜିଲ୍ଲାରେ ପେଟ୍ରୋଲ ଏବଂ ଡିଜେଲ ଦର ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୩ ପଇସା ଓ ଡିଜେଲ ଲିଟର ପିଛା ୯୬ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ୧୦୫.୦୯ ଟଙ୍କା ପାଖାପାଖି ପହଞ୍ଚିଥିବା ବେଳେ ମାଲକାନଗିରି ଓ କୋରାପୁଟ ଭଳି ଦୂରବର୍ତ୍ତୀ ଜିଲ୍ଲାରେ ଏହା ୧୦୮ ଟଙ୍କା ପାର୍ କରିସାରିଛି। ପ୍ରିମିୟମ ପେଟ୍ରୋଲ ଭୁବନେଶ୍ବରରେ ବଢି ହୋଇଛି ୧୧୪ ଟଙ୍କା ୫୬ ପଇସା ।
ପେଟ୍ରୋଲ ଏବଂ ବିଶେଷ କରି ଡିଜେଲ ଦର ବଢ଼ିବା ଯୋଗୁଁ ବଜାରରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବ। ଏହାର ସିଧାସଳଖ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବ। ଆଗାମୀ ଦିନରେ ପନିପରିବା, କ୍ଷୀର, ଖାଇବା ତେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଆହୁରି ବଢ଼ିବା ଆଶଙ୍କା ରହିଛି, ଯାହା ମଧ୍ୟବିତ୍ତ ପରିବାରର ଚିନ୍ତା ବଢ଼ାଇ ଦେଇଛି।
