ଇବୋଲା ଆତଙ୍କ: ଏମସ୍ ରେ ୨୧ ଦିନିଆ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା
ଭୁବନେଶ୍ୱର (ସଂକେତ ଟିଭି): ଇବୋଲା (Ebola) ଭାଇରସକୁ ନେଇ ରାଜ୍ୟ ସରକାର ହାଇ ଆଲର୍ଟରେ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଓଡ଼ିଶାରେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଆଫ୍ରିକୀୟ ଦେଶରୁ ଆସୁଥିବା ଏବଂ ଇବୋଲା ସଦୃଶ ଲକ୍ଷଣ ଥିବା ଯାତ୍ରୀଙ୍କୁ ସିଧାସଳଖ AIIMSକୁ ପଠାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବି ନାରାୟଣ ମିଶ୍ର କହିଛନ୍ତି।
ଯଦି ଇବୋଲା ମାମଲା ରିପୋର୍ଟ ହୁଏ, ତେବେ ରୋଗୀଙ୍କୁ AIIMSରେ ୨୧ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରଖାଯିବ। କେବଳ ବିମାନବନ୍ଦର ନୁହେଁ, ପାରାଦ୍ୱୀପ ବନ୍ଦରରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍କୁ ସତର୍କ ରଖାଯାଇଛି। କୌଣସି ଇବୋଲା ଲକ୍ଷଣ ଥିବା ଯାତ୍ରୀ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପାଇଁ AIIMSରେ ୧୦ଟି ବେଡ୍ ସଂରକ୍ଷିତ ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ଇବୋଲା ରୋଗୀ ଚିହ୍ନଟ ହୋଇନାହାନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରବି ନାରାୟଣ ମିଶ୍ର କହିଛନ୍ତି, “ଇବୋଲା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି କରାଯାଇଛି। ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ଠାରେ ଲକ୍ଷଣ ଦେଖାଗଲେ ତୁରନ୍ତା ସେମାନଙ୍କୁ AIIMSକୁ ପଠାଯିବ। ୨୧ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ରେ ରଖାଯିବ।”
ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କ କହିବା ଅନୁସାରେ, ଏଥର ଚିହ୍ନଟ ହୋଇଥିବା ବୁଣ୍ଡିବୁଗିଓ ଷ୍ଟ୍ରେନ୍ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଟିକା ଉପଲବ୍ଧ ନାହିଁ। ଏହି ଭାଇରସରେ ମୃତ୍ୟୁହାର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସତର୍କତା ଅବଲମ୍ବନ କରିବାକୁ କହିଛି।
ଇବୋଲା ଭାଇରସ କିଛି ଆଫ୍ରିକୀୟ ଦେଶରେ ବ୍ୟାପିଛି ଏବଂ ଏହା କ୍ରମଶଃ ମାରାତ୍ମକ ହେବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, WHO ଏକ ବିଶ୍ୱ ସ୍ବାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। WHO ବିଜ୍ଞପ୍ତି ପରେ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ସମସ୍ତ ବିମାନବନ୍ଦର ପାଇଁ SOP ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି, ସେମାନଙ୍କୁ COVID-19 ଭଳି ପ୍ରୋଟୋକଲ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇବୋଲାର ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ଥଣ୍ଡା, ବାନ୍ତି, ଝାଡ଼ା ଓ ରକ୍ତସ୍ରାବ ଭଳି ସମସ୍ୟା ଦେଖାଯାଏ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହା ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ। ସେଥିପାଇଁ ସନ୍ଦେହଜନକ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା ଓ ଆଇସୋଲେସନ୍ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଇବୋଲାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ସମସ୍ତ ବିମାନବନ୍ଦରରେ ଥର୍ମାଲ୍ ସ୍କ୍ରିନିଂକୁ ଅଧିକ କଡ଼ା କରିବା ସହ ଯାତ୍ରୀଙ୍କ ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ, ଆଇସୋଲେସନ୍ ୱାର୍ଡ, ଔଷଧ ଓ ସୁରକ୍ଷା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ମଧ୍ୟ ସମସ୍ତ ହସ୍ପିଟାଲକୁ ସତର୍କ କରାଯାଇଛି।
