FeaturedLatestNews

ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରୁ ସେଣ୍ଟ୍ରିଂ ବାହାର କରିବାକୁ ଯାଇ ୬ ଜଣଙ୍କର ମୃତ୍ୟୁ

ଭବାନୀପାଟଣା (ସଂକେତ ଟିଭି): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳ ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଗାଁରେ ଏକ ନିର୍ମାଣାଧୀନ ସେପ୍ଟିକ୍ ଟ୍ୟାଙ୍କରୁ ସେଣ୍ଟ୍ରିଂ ବାହାର କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ରାଜମିସ୍ତ୍ରୀ, ଜଣେ ଶ୍ରମିକ, ଘର ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି । ଏହି ଘଟଣାରେ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶ୍ରମିକମାନେ ସେଣ୍ଟ୍ରିଂ ସାମଗ୍ରୀକୁ ବାହାର କରିବା ପାଇଁ ନୂତନ ନିର୍ମିତ ଶୌଚାଳୟ ଟାଙ୍କିରେ ପ୍ରବେଶ କରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଶ୍ୱାସରୁଦ୍ଧ ହୋଇ ସେମାନେ ଟାଙ୍କି ଭିତରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଜଣେ ପରେ ଜଣେ ଅନ୍ୟମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଟାଙ୍କି ଭିତରକୁ ପ୍ରବେଶ କରିଥିଲେ, କିନ୍ତୁ ସେମାନେ ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ ।

ସୂଚନା ପାଇବା ପରେ, ସ୍ଥାନୀୟ ଲୋକ ଓ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଟାଙ୍କିରୁ ବାହାର କରି ତୁରନ୍ତ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ଓ ତାଙ୍କର ଚିକିତ୍ସା ଚାଲିଛି । ମଦନପୁର ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତ ବ୍ୟକ୍ତିମାନେ ହେଲେ ଗୌଡ଼ କର୍ଲାଖୁଣ୍ଟା ଗାଁର ନିମାଇଁ ପାଲ (ଘର ମାଲିକ) ଓ ତାଙ୍କ ପୁଅ ଆକାଶ ପାଲ । ଅନ୍ୟମାନେ ହେଲେ ଗୌଡ଼ କର୍ଲାଖୁଣ୍ଟା ଗାଁର ଅଦଲ ମାଝୀ, ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ, ଦୁଟା ଗାଁର ଛନ୍ଦା ଜାଲ ଏବଂ ବିପୁଲ ଜାଲ । ହାତୀଖୋଜ ଗାଁର ପଙ୍କଜ ଭୋଇଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଥିବା କେସିଙ୍ଗା ପୋଲିସ୍ ଏସଡିପିଓ ସନ୍ଦୀପ ମାଝୀ ସୂଚାନ ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ନିର୍ମାଣାଧୀନ ସ୍ଥାନରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।