CrimeFeaturedLatestNews

ପ୍ରମାଣ ଅଭାବରୁ ଅବଦୁର ରେହେମାନ ନିର୍ଦ୍ଦୋଷରେ ଖଲାସ

କଟକ (ସଂକେତ ଟିଭି): ଆତଙ୍କବାଦୀ ସଂଗଠନ ଅଲ-କାଏଦା ବା AQIS ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ମୌଲାନା ଅବଦୁର ରେହେମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଆଜି କଟକ ଜିଲ୍ଲା ଦୌରା ଜଜ୍ କୋର୍ଟ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରି ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅବଦୁର ରେହେମାନଙ୍କୁ ସମ୍ପୂର୍ଣ୍ଣ ଖଲାସ କରିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଚର୍ଚ୍ଚିତ ଆଇନଗତ ପ୍ରକ୍ରିୟାରେ ନୂଆ ମୋଡ଼ ଆସିଛି ।

ଅବଦୁର ରେହେମାନ ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ କଟକ ସହର ନିକଟସ୍ଥ ପଶ୍ଚିମକଚ୍ଛା ଗାଁରୁ ଗିରଫ ହୋଇଥିଲେ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ ଓଡ଼ିଶା ପୋଲିସର ଏକ ମିଳିତ ଟିମ୍ ତାଙ୍କୁ ସେମାନଙ୍କ ଘରୁ ଧରିଥିଲା, ଆଉ ତାଙ୍କ ଉପରେ ଅଲ-କାଏଦାର ଲିଙ୍କ୍ ଥିବା ଅଭିଯୋଗ ରହିଥିଲା ।

ଗିରଫଦାରୀ ପରେ ଅବଦୁର ରେହେମାନଙ୍କ ବିରୋଧରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ମୋଟ୍ ତିନିଟି ପ୍ରମୁଖ ମାମଲା ରୁଜୁ କରାଯାଇଥିଲା । ପ୍ରଥମ ମାମଲା ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ରୁଜୁ ହୋଇଥିଲା । ଦ୍ୱିତୀୟ ମାମଲାଟି ଜାମସେଦପୁର ପୋଲିସ ପକ୍ଷରୁ ରୁଜୁ କରାଯାଇଥିଲା । ତୃତୀୟ ମାମଲାଟି କଟକର କମିଶନରେଟ ପୋଲିସ ଦ୍ୱାରା ସ୍ଥାନୀୟ ସ୍ତରରେ ରୁଜୁ କରାଯାଇଥିଲା ।

ପରବର୍ତ୍ତୀ ସମୟରେ କଟକ କମିଶନରେଟ ପୋଲିସ ଦ୍ୱାରା ରୁଜୁ ହୋଇଥିବା ତୃତୀୟ ମାମଲାଟିର ଗୁରୁତ୍ୱ ଏବଂ ଜାତୀୟ ସୁରକ୍ଷା ସହ ଏହାର ସମ୍ପୃକ୍ତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାକୁ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ସହ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦେଶଦ୍ରୋହ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଇଥିଲା ।

ଆଜି (ମଙ୍ଗଳବାର) କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ କ୍ରାଇମବ୍ରାଞ୍ଚ ଦ୍ୱାରା ପରିଚାଳିତ ଏହି ଦେଶଦ୍ରୋହ ମାମଲାର ବିଚାର କରାଯାଇଥିଲା । ତେବେ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଆଗତ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ସାକ୍ଷ୍ୟ ଓ ପ୍ରମାଣଗୁଡ଼ିକ ଯଥେଷ୍ଟ ନଥିବା କୋର୍ଟ ଦର୍ଶାଇଥିଲେ । ଫଳରେ ଆଇନଗତ ଆଧାରରେ ପ୍ରମାଣର ଅଭାବ ଯୋଗୁଁ ମାନ୍ୟବର କୋର୍ଟ ଅବଦୁର ରେହେମାନଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିବା ସହ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।