ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ, ଜୁନ୍ ୧୦ ପର୍ଯ୍ୟନ୍ତ ଆବେଦନ
ଭୁବନେଶ୍ୱର (ସଂକେତ ଟିଭି): ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୨୭ ତାରିଖ ଅର୍ଥାତ୍ ଆଜି ଅପରାହ୍ନ ୪ଟାରୁ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।
ଜୁନ୍ ୧୭ରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବ। ଜୁଲାଇ ୯ ତାରିଖରେ ପାଠପଢ଼ା ଆରମ୍ଭ ହେବ।
ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଏହି ନୀତି ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ବିଭିନ୍ନ ପ୍ରକାର ପାଠ୍ୟକ୍ରମ ଚୟନ କରିପାରିବେ। ସେଗୁଡ଼ିକ ହେଲା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ (Single Major with Two Minors) କିମ୍ବା ଦୁଇଟି ମୁଖ୍ୟ ବିଷୟ (Double Majors) କିମ୍ବା ତିନିଟି ଉପବିଷୟ (Three Minors)।
ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ଏକାଦଶ ଶ୍ରେଣୀ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ନାମଲେଖା କରିପାରିବେ।
ଏହାପରେ ଜୁଲାଇ ୩୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଚଏସ୍ ଲକିଂ କରିପାରିବେ। ସ୍ପଟ୍ ନାମଲେଖା ପାଇଁ ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ସହ ଇଣ୍ଟିମେସନ୍ ଲେଟର ପ୍ରଦାନ କରାଯିବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଅଗଷ୍ଟ ୭ ତାରିଖ ମଧ୍ୟାହ୍ନ ୧୨ଟାରୁ ୧୨ ତାରିଖ ରାତି ୯ଟା ମଧ୍ୟରେ କଲେଜରେ ରିପୋଟିଂ କରିବେ। ଏକାଦଶ ଶ୍ରେଣୀର ପାଠପଢ଼ା ଜୁଲାଇ ୨୩ରୁ ଆରମ୍ଭ ହେବ।
