CulturalFeaturedLatestNews

ଶୀତଳ ଷଷ୍ଠୀ ପାଇଁ ୧ କୋଟି ୮ ଲକ୍ଷ ଟଙ୍କା ଅନୁଦାନ ଘୋଷଣା

ଭୁବନେଶ୍ୱର (ସଂକେତ ଟିଭି): ସମ୍ବଲପୁର ଜିଲ୍ଲାର ଶୀତଳ ଷଷ୍ଠୀ ପର୍ବ ପାଳନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ।

ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ମୋଟ ୨୧ଟି କମିଟିଙ୍କୁ ଏହି ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସମ୍ବଲପୁରର ଶୀତଳ ଷଷ୍ଠୀ ପର୍ବ ଆମ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶୀତଳ ଷଷ୍ଠୀକୁ ଭବ୍ୟତାର ସହ ପାଳନ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆମ ଓଡ଼ିଶାର ପର୍ବପର୍ବାଣୀ ଓ ଯାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି।