ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେଜିରୁ ପିଜି ସମସ୍ତ ଶିକ୍ଷା ଦେୟମୁକ୍ତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଦେୟ ମୁକ୍ତ ହେବ। ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ, ଫଳରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀମାନେ ସୁବିଧା ପାଇବେ। ଏଭଳି ନିଷ୍ପତ୍ତି ନେବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଛି।
ସେହିପରି ଆଗାମୀ ଦିନରେ ୩୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ପ୍ରତିବର୍ଷ ୧୦ ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି।
ଭତ୍ତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭତ୍ତା ସମସ୍ୟା ସମାଧାନ ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି। ୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷ ହିତାଧିକାରୀ ଭତ୍ତା ପାଇଛନ୍ତି। ଭତ୍ତା ସମସ୍ୟା କେନ୍ଦ୍ର ସରକାରଙ୍କ ବୋଲି ସେ ଉଲ୍ଲେଖ କରିଛନ୍ତି। ଟେକ୍ନିକାଲ ଦୃଷ୍ଟିକୋଣରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ବତନ୍ତ୍ର ଭାବେ ଯୋଡ଼ାଯାଉଛି, ସେଥିପାଇଁ ଟିକେ ବିଳମ୍ବ ହେଉଛି। ଗୋଟିଏ ମାସ ଯଦି କେହି ଭତ୍ତା ପାଇନାହାନ୍ତି, ତେବେ ଏକ ସଙ୍ଗେ କିପରି ପାଇବେ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏହାସହ ସେ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ପଶ୍ଚିମ ବଙ୍ଗ ସରକାରଙ୍କୁ ଚିଠି ଲେଖିବା ପରେ ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି। ଏହା ଡବଲ ଇଞ୍ଜିନ ସରକାରଙ୍କ ସଫଳତା।
ରେଳ ପ୍ରକଳ୍ପରେ ୯୦ ହଜାର କୋଟି ଟଙ୍କା ଏବଂ ସଡ଼କ ପଥରେ ୮୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଛି। ସେହିପରି କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ, ଭୁବନେଶ୍ବର, କଟକ, ପୁରୀ, ପାରାଦୀପ ଅର୍ଥନୀତି କରିଡର୍ ଗଠନ ନେଇ ପ୍ଲାନ ହୋଇଛି। ଗ୍ରେଟର୍ ଭୁବନେଶ୍ବର ଗଠନ ହିଁ ଡବଲ ଇଞ୍ଜିନ ସରକାରଙ୍କ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
