ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଛୁଇଁଲା ମୌସୁମୀ। ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ରେଖା ଆଜି ଓଡ଼ିଶାର ପାରାଦ୍ୱୀପ ଓ ବାରିପଦା ମଧ୍ୟରେ ଗତି କରିବା ସହ ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି।
କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ ବାୟୁ। ଜୁନ୍ ୪ ତାରିଖରେ କେରଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ କେରଳ ପହଞ୍ଚିଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ପ୍ରଥମେ ଆକଳନ କରାଯାଇଥିଲା, କିନ୍ତୁ ସାମାନ୍ୟ ବିଳମ୍ବ ହୋଇଥିଲା।
ଚଳିତବର୍ଷ ଆକଳନ ଅନୁଯାୟୀ ମୌସୁମୀ ଋତୁରେ ବର୍ଷା କମ୍ ହେବାର ସମ୍ଭାବନା ରହିଛି। ବିଶେଷ କରି ଏଲିନୋ ପ୍ରଭାବରେ ବର୍ଷା ଏଥର କମ୍ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ମେ’ ମାସରେ ୭୮.୩ ମିଲିମିଟର ବର୍ଷା ହୋଇଥିବା ବେଳେ ୨୪ ପ୍ରତିଶତ କମ ବର୍ଷା ହୋଇଛି। ସେହିପରି ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ୩୪ ପ୍ରତିଶତ କମ୍ ବର୍ଷା ହୋଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଓଡ଼ିଶାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ଗରମ, ଗୁଳୁଗୁଳି ଅନୁଭୂତ ହେବ।
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ପ୍ରତି ଘଣ୍ଟା ଏବଂ କେତେକ ସ୍ଥାନରେ ୫୦ରୁ ୬୦ କିମି ପ୍ରତି ଘଣ୍ଟା ବେଗରେ ଝଡ଼ ପବନ ବହିବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ସମେତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହା ଛଡା ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରିଛି ପାଣିପାଗ ବିଭାଗ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, “ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର ହେଲା ମୌସୁମୀ, ମୌସୁମୀ ଅଗ୍ରସର ରେଖା ଆଜି ଓଡ଼ିଶାର ପାରାଦ୍ୱୀପ ଓ ବାରିପଦା ମଧ୍ୟ ଦେଇ ଗତି କରୁଛି।” ଜୁନ୍ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
