ଲାଞ୍ଚ ନେବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରଫ
ରାୟଗଡ଼ା(ସଂକେତ ଟିଭି): ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ (RWD-I) ର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଏକ ବିଲ୍ ପାସ୍ କରାଇଦେବା ବାବଦରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଜୁନ୍ ୨୩ ତାରିଖ ବିଳମ୍ବିତ ରାତିରେ ଏହି ଚଢ଼ାଉ କରାଯାଇଥିଲା।
ସୂଚନା ଅନୁଯାୟୀ, ଜଣେ ଠିକାଦାରଙ୍କ ୫୦ ଲକ୍ଷ ଟଙ୍କାର ବକେୟା ବିଲ୍ କ୍ଲିୟର କରିବା ଏବଂ ଏକ ନୂତନ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକୀୟ ‘ୱର୍କ ଏକ୍ସପେରିଏନ୍ସ ସାର୍ଟିଫିକେଟ୍’ ପ୍ରଦାନ କରିବା ନିମନ୍ତେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲାଞ୍ଚ ମାଗିଥିଲେ। ପ୍ରଥମେ ସେ ବିଲ୍ ଅର୍ଥର ୫ ପ୍ରତିଶତ ଅର୍ଥାତ୍ ୨.୫ ଲକ୍ଷ ଟଙ୍କା ଦାବି କରିଥିଲେ। ପରବର୍ତ୍ତୀ ବୁଝାମଣାରେ ଏହା ୨ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା। ଠିକାଦାର ଜଣକ ଏତେ ଅର୍ଥ ଦେବାକୁ ଅସମର୍ଥ ହୋଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।
ଠିକାଦାରଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଜୁନ୍ ୨୩ ରାତିରେ ଶ୍ରୀ ପଟ୍ଟନାୟକ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ତାଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଜବତ କରିଥିଲେ।
ଏହି ଘଟଣା ପରେ ଶ୍ରୀ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ନନ୍ଦନ ବିହାର ବସୁନ୍ଧରା କଲୋନୀ (ପ୍ଲଟ୍ ନଂ ୨୮୬/୧୧), ନୟାଗଡ଼ର ଉଦୟପଥ ଲେନ୍ର ତାଙ୍କର ପୈତୃକ ଗୃହ, ଏବଂ ରାୟଗଡ଼ା ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ବ୍ୟାପକ ଯାଞ୍ଚ କରାଯାଇଥିଲା। ରାୟଗଡ଼ା ସରକାରୀ ବାସଭବନରୁ ଅତିରିକ୍ତ ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ ହୋଇଛି। ତାଙ୍କ ନିକଟରୁ ସର୍ବମୋଟ ୫ ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ଜୁନ୍ ୩୦, ୨୦୨୬ରେ ଅବସର ଗ୍ରହଣ କରିବେ। ଅବସରର ମାତ୍ର କିଛି ଦିନ ପୂର୍ବରୁ ସେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ମାମଲାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ ମାମଲା ନଂ. ୧୨/୨୦୨୬ ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।
