FeaturedGeneralLatest

ଭିକ୍ଟୋରିଆରେ ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି

ଭିକ୍ଟୋରିଆ(ସଂକେତ ଟିଭି): ସେଶେଲସ୍ ରାଜଧାନୀ ଭିକ୍ଟୋରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ଜାତୀୟ ସଂସଦକୁ ସମ୍ବୋଧିତ କରିଛନ୍ତି। ଏହାକୁ ମିଶାଇ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ୨୦ଟି ଦେଶର ସଂସଦକୁ ଏପର୍ଯ୍ୟନ୍ତ ଭାଷଣ ଦେଇସାରିଛନ୍ତି। ଏହି ଐତିହାସିକ ଅବସରରେ ସେ ନିଜ ଭାଷଣ ଆରମ୍ଭ କରି କହିଛନ୍ତି ଯେ, “ଏହି ନ୍ୟାସନାଲ ଆସେମ୍ବ୍ଲିକୁ ସମ୍ବୋଧିତ କରୁଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହେବା ମୋ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ। ମୁଁ ମୋ ସହିତ ଭାରତର ୧୪୦ କୋଟି ଲୋକଙ୍କ ପକ୍ଷରୁ ଆପଣମାନଙ୍କ ପାଇଁ ଭଲପାଇବା ଓ ଶୁଭକାମନା ନେଇ ଆସିଛି।”

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ମସିହାରେ ହିନ୍ଦ ମହାସାଗର କ୍ଷେତ୍ରରେ ତାଙ୍କର ସର୍ବପ୍ରଥମ ଗସ୍ତ ଥିଲା ସେଶେଲସ୍। କାରଣ ଭାରତର ଭିଜନରେ ସେଶେଲସର ଏକ ବିଶେଷ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ପ୍ରାୟ ଏକ ଦଶକ ପରେ ପୁଣି ସେଶେଲସ୍ ପହଞ୍ଚିବା ପରେ ତାଙ୍କର ଏହି ବିଶ୍ୱାସ ଆହୁରି ମଜଭୁତ ହୋଇଥିବା ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ସେଶେଲସର ସ୍ୱାଧୀନତାର ୫୦ତମ ବାର୍ଷିକ ଉତ୍ସବ ଅବସରରେ ମଧ୍ୟ ସେଠାକାର ଲୋକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି ଯେ ଆମର ସମ୍ପର୍କ କେବଳ ୫୦ ବର୍ଷର ନୁହେଁ, ଯେତେବେଳେ ଡିପ୍ଲୋମ୍ୟାଟିକ୍ ସମ୍ପର୍କ ଆରମ୍ଭ ହୋଇଥିଲା। ଏହି ସମ୍ପର୍କ ଅଧିକ ପୁରୁଣା, ଯାହା ଅଗଷ୍ଟ ୧୭୭୦ରେ ‘ଥେଲେମାକେ’ ଜାହାଜ ଯୋଗେ ସେଣ୍ଟ ଏନ୍ ଆଇଲ୍ୟାଣ୍ଡରେ ପହଞ୍ଚିବା ଦିନୁ ଆରମ୍ଭ ହୋଇସାରିଥିଲା। ସେ ଉଲ୍ଲେଖ କରିଥିଲେ ଯେ ଏଠାକୁ ଆସିଥିବା ଲୋକଙ୍କ ମଧ୍ୟରେ ୫ଜଣ ଭାରତୀୟ ମଧ୍ୟ ଥିଲେ। ଏହି ଯାତ୍ରା ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିଥିଲା ଏବଂ ସମୟ ସହିତ ଭାରତୀୟଙ୍କ କାହାଣୀ ସେଶେଲସ୍ର କାହାଣୀର ଅଂଶବିଶେଷ ପାଲଟିଯାଇଥିଲା। ମୋଦି ଦୃଢ଼ୋକ୍ତି ଦେଇଛନ୍ତି ଯେ ଏହି ଇତିହାସ ଆମକୁ ମନେ ପକାଇ ଦିଏ ଯେ ଏହି ସମ୍ପର୍କ କୌଣସି ସରକାର ନୁହେଁ, ବରଂ ଏଠାକାର ସାଧାରଣ ଲୋକଙ୍କ ଦ୍ୱାରା ଗଠିତ।

ସେ ପ୍ରସ୍ତାବ ଦେଇଛନ୍ତି ଯେ ଭାରତ ଓ ସେଶେଲସ୍ ମିଳିତ ଭାବରେ ମତ୍ସ୍ୟଚାଷ, ସାମୁଦ୍ରିକ ବିଜ୍ଞାନ, ଉପକୂଳ ପରିଚାଳନା, ନବୀକରଣୀୟ ଶକ୍ତି ଏବଂ ସ୍ଥାୟୀ ପର୍ଯ୍ୟଟନ କ୍ଷେତ୍ରରେ ଭାଗୀଦାର ହୋଇପାରିବେ। ଶେଷରେ ସେ ସେଶେଲସ୍ର ସାଂସଦ ଓ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି ଯେ, “ଆସନ୍ତୁ ଆମେ ସବୁ ମିଶି ଏପରି କାମ କରିବା ଯାହାଫଳରେ ଆମର ଆଗାମୀ ପିଢ଼ିକୁ ଉତ୍ତରାଧିକାରରେ ଯେଉଁ ସମୁଦ୍ର ମିଳିଛି, ତାହା ଆଜିର ତୁଳନାରେ ଆହୁରି ସୁସ୍ଥ, ସୁରକ୍ଷିତ ଓ ସମ୍ବଳରେ ଭରପୂର ହୋଇ ରହିବ।”