FeaturedLatestNews

ବୋଟରେ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ହେଲିକପ୍ଟର ବଦଳରେ ସେ ନୌକା (ବୋଟ୍) ଯୋଗେ ଜଳମଗ୍ନ ଅଞ୍ଚଳ ବୁଲି ଦୁର୍ବିପାକଗ୍ରସ୍ତ ଲୋକଙ୍କ ଅବସ୍ଥା ନିଜ ଆଖିରେ ଦେଖିଛନ୍ତି। ଏହି ଗସ୍ତରେ ତାଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଥମେ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ବନ୍ୟା ଜଳରେ ଘେରି ରହିଥିବା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ସେ ନୌକାରେ ଚଢ଼ି ବୈତରଣୀ, ସାଳନ୍ଦୀ ଓ କାଣୀ ନଦୀର ପ୍ଲାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ଏହି ସମୟରେ ସେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟର ଅଗ୍ରଗତି ମଧ୍ୟ ଯାଞ୍ଚ କରିଥିଲେ।

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ବିଶେଷ କରି ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ତଳିଆ ଅଞ୍ଚଳରେ ନଦୀଜଳ ପ୍ରବେଶ କରିବାରୁ ଲୋକେ ଚରମ ଦୁର୍ବିପାକର ସମ୍ମୁଖୀନ ହୋଇଛନ୍ତି। ଏହି ତିନି ନଦୀରେ ପାଣି ବିପଦ ସଙ୍କେତ ରେଖା ନିକଟରେ ପ୍ରବାହିତ ହେଉଥିବାରୁ ଅନେକ ଗାଁ ଜଳମଗ୍ନ ହୋଇଯାଇଛି।

ଗତ କିଛି ଦିନର ଅବିରତ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରୁ ପାଣି କମି ଯାଇଥିଲା, ସେଠାରେ ପୁଣି ନୂଆ ବନ୍ୟା ଜଳ ପଶି ଆସିଛି। ଫଳରେ ପୂର୍ବତନ ରିଲିଫ୍ ଶିବିରଗୁଡ଼ିକୁ ପୁଣି ସକ୍ରିୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବିଭିନ୍ନ ସୁରକ୍ଷା ଏବଂ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ବନ୍ୟାପୀଡ଼ିତଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, କ୍ଷତିଗ୍ରସ୍ତ ସମସ୍ତ ପରିବାରକୁ ଉପଯୁକ୍ତ ସହାୟତା ଓ ପୁନର୍ବାସ ବ୍ୟବସ୍ଥା କରାଯିବ। ଏଥିସହ ବନ୍ୟା ପରବର୍ତ୍ତୀ କ୍ଷତି ଆକଳନ ପାଇଁ ଟିମ୍ ଗଠନ କରିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *