FeaturedGeneralLatestPolitics

ବିଜେପିର ୧୩ ଉପାଧ୍ୟକ୍ଷ ଓ ୮ ସାଧାରଣ ସମ୍ପାଦକ ମନୋନୀତ

ନୂଆଦିଲ୍ଲୀ(ସଂକେତ ଟିଭି): ବିଜେପିର ନୂତନ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ଦିନ ଦଳର ନୂଆ ଜାତୀୟ ପଦାଧିକାରୀ ଟିମ୍ ଘୋଷଣା କରିଛନ୍ତି। ଏହି ନୂତନ ଟିମରେ ୧୩ ଜଣ ବରିଷ୍ଠ ନେତାଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିବା ବେଳେ ୮ ଜଣଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି ମିଳିଛି। ସେହିପରି ୧୬ ଜଣ ନେତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ବ ଦେଇଛନ୍ତି ନୀତିନ ନବୀନ।

ଉପାଧ୍ୟକ୍ଷ ପଦବୀରେ ବୈଜୟନ୍ତ ପଣ୍ଡା ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଅନ୍ୟ ନୂତନ ମନୋନୀତ ଉପାଧ୍ୟକ୍ଷମାନେ ହେଲେ: ବସୁନ୍ଧରା ରାଜେ ସିନ୍ଧିଆ, ତିରଥ ସିଂହ ରାୱତ, ରାମ ମାଧବ, ସର୍ଦ୍ଦାର ମନପ୍ରୀତ ସିଂହ ବାଦଲ, ରେଖା ବର୍ମା ଏବଂ ଅନ୍ୟାନ୍ୟ। ଏଥିସହ ୬ ଜଣ ମହିଳା ନେତା ମଧ୍ୟ ଏହି ପଦବୀରେ ସ୍ଥାନ ପାଇଛନ୍ତି, ଯାହା ଦଳରେ ମହିଳା ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଇଥାଏ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବରେ ବିଏଲ ସନ୍ତୋଷଙ୍କୁ ସଂଗଠନର ଦାୟିତ୍ବ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିନୋଦ ତାୱଡେ, ସୁନୀଲ ବଂଶଲ, ସ୍ମୃତି ଇରାନୀ, ବିପ୍ଳବ କୁମାର ଦେବ, ସତୀଶ ପୁନିଆ, ସଞ୍ଜୟ ଭାଟିଆ, ହରିଶ ଦ୍ୱିବେଦୀ ଏବଂ ସୁନୀଲ ବଂଶଲ ଅନ୍ତର୍ଭୁକ୍ତ। ଏଥିରେ ୩ ଜଣ ମହିଳା ସାଧାରଣ ସମ୍ପାଦକ ଭାବରେ ସ୍ଥାନ ପାଇଛନ୍ତି।

ସମ୍ବିତ ପାତ୍ରଙ୍କୁ ଉତ୍ତରପୂର୍ବ ସଂଯୋଜକ ଦାୟିତ୍ବ ଦିଆଯାଇଥିବା ବେଳେ ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ମଧ୍ୟ ନୂତନ ମୁଖ୍ୟ ଘୋଷିତ ହୋଇଛି—ଯୁବ ମୋର୍ଚ୍ଚା ସଭାପତି ଭାବରେ ଡାକ୍ତର ହେମାଙ୍ଗ ଯୋଶୀ, ମହିଳା ମୋର୍ଚ୍ଚା ସଭାପତି ଭାବରେ ରୂପ କୁମାରୀ ଚୌଧୁରୀ ଏବଂ କିଷାନ ମୋର୍ଚ୍ଚା ସଭାପତି ଭାବରେ ବଂଶୀଲାଲ ଗୁର୍ଜର ନିଯୁକ୍ତି ପାଇଛନ୍ତି।

ଆଇଟି ସେଲ୍ର ନୂତନ ମୁଖ୍ୟ ଭାବରେ ଦୀପକ ମହସ୍କେ ନିଯୁକ୍ତ ହୋଇଛନ୍ତି, ଯାହାଙ୍କ ସ୍ଥାନରେ ଅମିତ ମାଲବ୍ୟ ରହିଥିଲେ। ଏହାବ୍ୟତୀତ, ବିଜେପି ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ସନ୍ଦୀପ ପାଠକ, ଅନିଲ ଆଣ୍ଟୋନି ଏବଂ ରୋହନ ଗୁପ୍ତାଙ୍କ ସମେତ ୧୬ ଜଣଙ୍କୁ ରାଷ୍ଟ୍ରୀୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୂତନ ଟିମ୍କୁ ଅଭିନନ୍ଦନ ଜଣାଇ ଟ୍ଵିଟ୍ କରିଛନ୍ତି, “ନବନିଯୁକ୍ତ ବିଜେପି ଜାତୀୟ ପଦାଧିକାରୀ ଏବଂ ଦଳ ମଧ୍ୟରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରୁଥିବା ସମସ୍ତଙ୍କୁ ଅଭିନନ୍ଦନ। ଏହି ନୂତନ ଦଳ ସାଂଗଠନିକ ଅଭିଜ୍ଞତା, ଶକ୍ତି ଏବଂ ତୃଣମୂଳ ସ୍ତରର ସଂଯୋଗର ମିଶ୍ରଣ। ମୁଁ ନିଶ୍ଚିତ ଯେ ସେମାନେ ଆମ ଦଳକୁ ମଜବୁତ କରିବା ଏବଂ ଜନସେବା ଉପରେ ଧ୍ୟାନ ଦେବାରେ ସର୍ବୋତ୍ତମ ଯୋଗଦାନ ଦେବେ। ସେମାନଙ୍କୁ ମୋର ଶୁଭକାମନା।”