FeaturedLatestNews

ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି

ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୨୮ ଅଗଷ୍ଟ ତାରିଖ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ଏହି ୫ମ କିସ୍ତି ପ୍ରଦାନ ପାଇଁ ମୋଟ ୧,୦୩,୨୬,୧୬୨ (ଏକ କୋଟି ତିରିଶି ଲକ୍ଷ ଛବିଶ ହଜାର ଏକଶହ ବାଷଠି) ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି।

ରାଖୀ ପୂର୍ଣ୍ଣିମା ଅବସରରେ ଏହି ସମସ୍ତ ହିତାଧିକାରୀମାନଙ୍କୁ ୫ମ କିସ୍ତି ବାବଦରେ ୫,୧୬୦ କୋଟି (ପାଞ୍ଚ ହଜାର ଏକଶହ ଷାଠିଏ କୋଟି) ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି (DBT) ମାଧ୍ୟମରେ ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତିମୂଳକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓକାକ୍ (OCAC) ଟିମ୍ ଏବଂ ବ୍ୟାଙ୍କ ପ୍ରତିନିଧିମାନେ ଯୋଗଦେଇଥିଲେ।

ବୈଠକରେ ୫ମ କିସ୍ତିର ଡିବିଟି ପ୍ରଦାନ, ହିତାଧିକାରୀଙ୍କ ତାଲିକା, ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସବିଶେଷ ସମୀକ୍ଷା କରିଥିଲେ। ସେ ୫ମ କିସ୍ତିର ସୁଚାରୁ ବଣ୍ଟନ ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିବିଟି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଏବଂ ହିତାଧିକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *