ରାହୁଲ ଗାନ୍ଧିଙ୍କ କାରକେଡ୍ ଦୁର୍ଘଟଣା: ୫ ଗାଡ଼ି ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା
ଲକ୍ଷ୍ନୌ (ସଂକେତ ଟିଭି): ଉତ୍ତରପ୍ରଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ କାରକେଡ୍ ଏକ ଦୁର୍ଘଟଣାର ଶିକାର ହୋଇଛି। ରାହୁଲ ଗାନ୍ଧିଙ୍କ କାରକେଡରେ ଥିବା ୫ଟି ଗାଡ଼ି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ପୂର୍ବାଞ୍ଚଳ ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ରାହୁଲ ଗାନ୍ଧି ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୁଲତାନପୁରର ଏକ ମାନହାନି ମାମଲାରେ ଆଜି ତାଙ୍କର କୋର୍ଟରେ ହାଜିରା ରହିଛି। ଏହି ସମୟରେ ରାହୁଲ ଗାନ୍ଧି ଯାଉଥିବା ବେଳେ କାରକେଡରେ ଥିବା ୫ଟି ଗାଡ଼ି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।
ପ୍ରାୟ ୮ ବର୍ଷ ପୁରୁଣା ଏହି ମାନହାନି ମାମଲା ୨୦୧୮ ମସିହାର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟର ଏକ ଘଟଣା ସହ ଜଡ଼ିତ। ସେହି ସମୟରେ ରାହୁଲ ଗାନ୍ଧି ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ଟିପ୍ପଣୀକୁ କେନ୍ଦ୍ର କରି ଏହି ମାମଲା ଦାୟର ହୋଇଥିଲା। ରାହୁଲଙ୍କ ଟିପ୍ପଣୀ ଅମିତ ଶାହଙ୍କ ଛବିକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ସୁଲତାନପୁରର ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ। ଆଜି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଅଦାଲତ ରାୟ ଶୁଣାଇବାର କାର୍ଯ୍ୟକ୍ରମ ରହିଛି।
