ହାଇୱା ପଛରେ ପିଟିଲା ବରଯାତ୍ରୀ ନେଇ ଫେରୁଥିବା ବୋଲେରୋ : ୫ ମୃତ, ୮ ଆହତ
ଯାଜପୁର (ସଂକେତ ଟିଭି): ଯାଜପୁର ଜିଲ୍ଲାର ୫୩ ନଂ ଜାତୀୟ ରାଜପଥ ବରଡ଼ା ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ସାରି ବରଯାତ୍ରୀ ନେଇ ଫେରୁଥିବା ଏକ ବୋଲେରୋ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱାର ପଛପଟେ ଜୋରରେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଡ୍ରାଇଭର ସମେତ ୮ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ବଡ଼ଚଣା ଥାନା ଅନ୍ତର୍ଗତ ଶାସନପୁରୁଷୋତ୍ତମପୁର ଗାଁର ଲୋକେ ଗତକାଲି କେଉଁଝର ଅଞ୍ଚଳକୁ ଏକ ବିବାହ ବରଯାତ୍ରୀ ଯାଇଥିଲେ। ଆଜି ସକାଳେ ସେମାନେ ଏକ ବୋଲେରୋ ଗାଡ଼ିରେ ଫେରୁଥିବା ସମୟରେ ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ହାଇୱାକୁ ପଛରୁ ଧକ୍କା ଦେଇଥିଲେ।
ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ସକାଳ ୭ରୁ ୮ ଟା ମଧ୍ୟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଧର୍ମଶାଳା ମେଡିକାଲକୁ ପଠାଇଥିଲେ। ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା।
ଡାକ୍ତରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ଧର୍ମଶାଳା ମେଡିକାଲରେ ୩ ଜଣ ଓ ବଡ଼ଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ବୋଲେରୋରେ ଡ୍ରାଇଭରଙ୍କ ସମେତ ୧୩ ଜଣ ଉପସ୍ଥିତ ଥିଲେ। ଅନ୍ୟ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଥିବା ବେଳେ ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ବୋଲି ଜଣାପଡ଼ିଛି।
ଘଟଣାର ତଦନ୍ତ ଆରମ୍ଭ କରିଛି ଜେନାପୁର ପୋଲିସ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି।
