FeaturedLatestNews

ଏଣିକି ଘରେ ପହଞ୍ଚିବ ବୃଦ୍ଧ ଓ ଅସହାୟଙ୍କୁ ମଧୁବାବୁ ପେନସନ୍

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଏହି ପ୍ରଚଣ୍ଡ ଖରାରେ ଲୋକେ ସନ୍ତୁଳି ହେଉଛନ୍ତି। ଘରୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇପଡିଛି। ଏଭଳି ପରିସ୍ଥିତିରେ ଗ୍ରୀଷ୍ମ ପ୍ରବାହରେ ଭତ୍ତା ବଣ୍ଟନକୁ ନେଇ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ବୃଦ୍ଧ ଓ ଅସହାୟ ହିତାଧିକାରୀଙ୍କୁ ଘରେ ହିଁ ଭତ୍ତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ଏକ ଚିଠି ପଠାଇଛନ୍ତି। ଚିଠିରେ କୁହାଯାଇଛି ଯେ, “ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ପହଞ୍ଚିଛି। ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ସହ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଛି।”

ଏହି ପରିସ୍ଥିତିରେ ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ମଧୁବାବୁ ପେନସନ ଯୋଜନା (MBPY) ହିତାଧିକାରୀମାନେ ଅଂଶୁଘାତ, ଡିହାଇଡ୍ରେସନ୍ ଓ ହିଟ୍ ଷ୍ଟ୍ରୋକର ଶିକାର ହେବାର ଆଶଙ୍କା ରହିଛି। ତେଣୁ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ୍ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ହେଉଛି, ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ମଧୁ ବାବୁ ପେନସନ ଯୋଜନା ତତ୍କାଳୀନ ବିଜେଡି ସରକାରଙ୍କ ଦ୍ୱାରା ୧ ଜାନୁଆରୀ ୨୦୦୮ରୁ ଆରମ୍ଭ ହୋଇଥିଲା। ଏହି ଯୋଜନାର ମୂଖ୍ୟ ଉଦ୍ଦେଶ୍ୟ ରାଜ୍ୟର ଅସହାୟ, ବୃଦ୍ଧ, ଭିନ୍ନକ୍ଷମ, ବିଧବା ଓ ଅନ୍ୟ ଦୁର୍ବଳ ବର୍ଗଙ୍କୁ ମାସିକ ଆର୍ଥିକ ସହାୟତା ଦେବା।

ରାଜ୍ୟ ସରକାର ଏହି ଯୋଜନାରେ ନିରନ୍ତର ବୃଦ୍ଧି କରୁଛନ୍ତି। ଫେବୃଆରୀ ୨୦୨୪ ସୁଦ୍ଧା ଅତିରିକ୍ତ ୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଛି। ହିତାଧିକାରୀଙ୍କ ବୟସ ଅନୁଯାୟୀ ମାସିକ ୫୦୦ ଟଙ୍କା, ୭୦୦ ଟଙ୍କା କିମ୍ବା ୯୦୦ ଟଙ୍କା ପେନସନ୍ ପ୍ରଦାନ କରାଯାଏ।