BusinessFeaturedLatestNews

ନିୟମ ପାଳନ କରୁନାହିଁ ବିର୍ଲା ଟାୟାର୍ସ

ବାଲେଶ୍ବର (ସଂକେତ ଟିଭି): ପୂର୍ବତନ ବିରଲା ଟାୟର୍ସ କର୍ମଚାରୀଙ୍କ ବକେୟା ଦେୟ, ଇପିଏଫ୍ ଓ ଗ୍ରାଚୁଇଟି ପ୍ରଦାନ ନେଇ ବିଭାଗୀୟ ଶ୍ରମ ଆୟୁକ୍ତ (ଡିଏଲସି), ବାଲେଶ୍ୱରଙ୍କ କାର୍ଯ୍ୟାଳୟରେ ୧୮.୦୫.୨୦୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିରଲା ଟାୟର୍ସ ୱାର୍କର୍ସ ୟୁନିଅନ୍ର ସଭାପତି ଶ୍ରୀ ରାଜେନ୍ଦ୍ର ବଳ ଏବଂ ତାଙ୍କ ସହଯୋଗୀମାନେ ଏଥିରେ ଯୋଗଦେଇ ଏନସିଏଲଟି/ଏନସିଏଲଏଟି ଆଦେଶ କାର୍ଯ୍ୟକାରୀ ନକରିବା ଅଭିଯୋଗ ଆଣିଥିଲେ।

ତେବେ, ବର୍ତ୍ତମାନର ନୂଆ ପରିଚାଳନା ପକ୍ଷ (ଦଲମିଆ ଭାରତ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ ଓ ହିମାଦ୍ରି ସ୍ପେସିଆଲିଟି କେମିକାଲ୍ ଲିମିଟେଡ୍)ର କୌଣସି ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ହୋଇନଥିଲେ। ଏହା ପୂର୍ବରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ୦୪.୦୫.୨୦୨୬ରେ ପତ୍ର ନମ୍ବର ୧୮୭୦(୨) ମାଧ୍ୟମରେ ପରିଚାଳନା ପକ୍ଷଙ୍କୁ ଲିଖିତ ବ୍ୟାଖ୍ୟା ଦେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଲିଖିତ ଜବାବ ମିଳିନାହିଁ।

ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏହି ଅନୁପସ୍ଥିତିକୁ ଗମ୍ଭୀରତାର ସହ ନେଇ ଦର୍ଶାଇଛି ଯେ ପରିଚାଳନା ପକ୍ଷଙ୍କ ପାଖରେ ଅଭିଯୋଗଗୁଡ଼ିକର କୌଣସି ଜବାବ ନାହିଁ। ତଥାପି, ନ୍ୟାୟିକ ପ୍ରକ୍ରିୟା ରକ୍ଷା କରିବାକୁ ସେମାନଙ୍କୁ ଶେଷ ସୁଯୋଗ ଦିଆଯାଉଛି।

ଫଳରେ, ଆଗାମୀ ୦୬.୦୬.୨୦୨୬ ତାରିଖ ସକାଳ ୧୧:୦୦ ରେ ପୁନର୍ବାର ଯୁଗ୍ମ ବୈଠକ ଡକାଯାଇଛି। ନୂଆ ପରିଚାଳନା ପକ୍ଷଙ୍କୁ ଲିଖିତ ଭାବେ ନିଜର ବ୍ୟାଖ୍ୟା ଜମା ଦେବାକୁ ଏବଂ ଉକ୍ତ ବୈଠକରେ ଉପସ୍ଥିତ ହେବାକୁ କହାଯାଇଛି। ସେମାନେ ଅନୁପସ୍ଥିତ ରହିଲେ ଏକପାଖିଆ ରାୟ ପ୍ରଦାନ କରାଯିବ ବୋଲି ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।