EducationFeaturedLatestNews

ରାଜ୍ୟରେ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ

ଭୁବନେଶ୍ୱର (ସଂକେତ ଟିଭି): ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ୟୁଜିସିର ଗାଇଡ଼ଲାଇନ ଅନୁଯାୟୀ, ସ୍ନାତକ ପାଠ୍ୟକ୍ରମର ଚତୁର୍ଥ ସେମିଷ୍ଟାରରେ ଛାତ୍ରଛାତ୍ରୀମାନଙ୍କୁ ଏହି ସୁଯୋଗ ଦେବାର ପ୍ରାବଧାନ ରହିଛି।

ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀ ଏହି ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ ହୋଇଛନ୍ତି। ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି, ଏବଂ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ମଧ୍ୟ ପ୍ରଦାନ କରାଯିବ।

ଛାତ୍ରଛାତ୍ରୀମାନେ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ଏନଜିଓମାନଙ୍କରେ ଇଣ୍ଟର୍ନସିପ୍‌ ସୁଯୋଗ ପାଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ରହିଛି।

ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରକଳ୍ପ ଉପସ୍ଥାପନ, ସାପ୍ତାହିକ ରିପୋର୍ଟ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ସେମାନଙ୍କୁ କ୍ରେଡ଼ିଟ୍ ପ୍ରଦାନ କରାଯିବ। ଏହି କ୍ରେଡ଼ିଟ୍ ତାଙ୍କର ଆକାଡେମିକ ବ୍ୟାଙ୍କ୍ ଅଫ୍ କ୍ରେଡିଟରେ ସ୍ଥାନିତ ହେବ, ଏବଂ ଇଣ୍ଟର୍ନସିପ୍‌ ସରିବା ପରେ ସେମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ।

ଚଳିତ ବର୍ଷ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ ଓ ବଲାଙ୍ଗୀର ଜିଲ୍ଲାରୁ ଏହି ଇଣ୍ଟର୍ନସିପ୍‌ରେ ଯୋଗଦେଇଛନ୍ତି। ସେମାନେ ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟମାନଙ୍କରେ ନିୟୋଜିତ ହୋଇଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଉଛି। ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍ ଏକ୍ସପୋଜର ପାଇବା ସହ ତୃଣମୂଳ ସ୍ତରର କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଅବଗତ ହୋଇପାରିବେ। ବିଭିନ୍ନ ସରକାରୀ ଅନୁଷ୍ଠାନ, ବେସରକାରୀ ଉଦ୍ୟୋଗ ଓ ଏନଜିଓମାନଙ୍କରେ ଇଣ୍ଟର୍ନସିପ୍ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ଅବଗତ ହୋଇପାରିବେ, ଯାହା ଭବିଷ୍ୟତରେ ନିଯୁକ୍ତି ଓ ଉଦ୍ୟମିତା କ୍ଷେତ୍ରରେ ସହାୟକ ହେବ।”