‘କକ୍ରୋଚ୍ ଜନତା ପାର୍ଟି’ ସୃଷ୍ଟିକର୍ତ୍ତାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ(ସଂକେତ ଟିଭି): ଭାରତରେ ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ‘କକ୍ରୋଚ୍ ଜନତା ପାର୍ଟି’ (CJP)। ସୋସିଆଲ ମିଡିଆରେ ଏହାର ଲୋକପ୍ରିୟତା ଆକାଶଛୁଆଁ ଥିଲା, କିନ୍ତୁ ଲଞ୍ଚ ହେବାର ୪ ଦିନ ପରେ ଏହାର ଟ୍ୱିଟର ଆକାଉଣ୍ଟକୁ ଡିଲିଟ୍ କରିଦିଆଯାଇଛି। ଏବେ ଏହାର ସ୍ରଷ୍ଟା ଅଭିଜିତ୍ ଦିପକେଙ୍କୁ ହତ୍ୟା ଧମକ ମିଳୁଛି, ଯାହାକୁ ସେ ନିଜେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଏବଂ କିଛି ମେସେଜର ସ୍କ୍ରିନସଟ୍ ମଧ୍ୟ ସେୟାର୍ କରିଛନ୍ତି।
ଅଭିଜିତ୍ ଦିପକେ କହିଛନ୍ତି ଯେ, ତାଙ୍କୁ ୱାଟ୍ସଆପ୍ରେ ଏକ ମେସେଜ୍ ଆସିଥିଲା, ଯେଉଁଥିରେ କକ୍ରୋଚ୍ ଜନତା ପାର୍ଟିର ଆକାଉଣ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ କୁହାଯାଇଥିଲା। ଆକାଉଣ୍ଟ ବନ୍ଦ କରିବା ବଦଳରେ ତାଙ୍କୁ ବହୁ ପରିମାଣର ଟଙ୍କା ଅଫର୍ କରାଯାଇଥିଲା। ଯଦି ସେ ଆକାଉଣ୍ଟ ବନ୍ଦ ନକରନ୍ତି, ତେବେ ଆମେରିକାରେ ମଧ୍ୟ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଏବେବି ତାଙ୍କୁ ନିୟମିତ ହତ୍ୟା ଧମକ ମିଳୁଛି ବୋଲି ଅଭିଜିତ୍ ପ୍ରକାଶ କରିଛନ୍ତି।
ଧମକ ମିଳିବା ପରେ ଅଭିଜିତ୍ ଚୁପ୍ ନରହି ଏହାର ପ୍ରମାଣ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ସେ ନିଜର ଏକ୍ସ (ପୂର୍ବତନ ଟ୍ୱିଟର) ଆକାଉଣ୍ଟରେ ୱାଟ୍ସଆପ୍ ଚାଟ୍ର ସ୍କ୍ରିନସଟ୍ ସେୟାର୍ କରି ଲେଖିଛନ୍ତି, ‘ବର୍ତ୍ତମାନ ଜୀବନରୁ ମାରିଦେବାକୁ ଧମକ ମିଳୁଛି।’ ଧମକପୂର୍ଣ୍ଣ ମେସେଜ୍ରେ ସ୍ପଷ୍ଟ ଲେଖାଯାଇଛି, “ଆମେ ତୁମକୁ କକ୍ରୋଚ୍ ଜନତା ପାର୍ଟିର ଆକାଉଣ୍ଟ ବନ୍ଦ କରିବା ପାଇଁ ଟଙ୍କା ଦେବୁ। ନଚେତ୍, ଆମେ ତୁମକୁ ଆମେରିକାରେ ମଧ୍ୟ ମାରିଦେବୁ।”
ସୋସିଆଲ ମିଡିଆରେ ସକ୍ରିୟ ଲୋକଙ୍କ ପାଇଁ ଏହି ନାମଟି ନୁଆ ନୁହେଁ। ଏହା କୌଣସି ପ୍ରକୃତ ରାଜନୈତିକ ଦଳ ନୁହେଁ, ବରଂ ଏକ ପ୍ରସିଦ୍ଧ ବ୍ୟଙ୍ଗାତ୍ମକ (ପାରୋଡି/ସେଟାଇର) ଆକାଉଣ୍ଟ। ନିଜର ନିଆରା ପୋଷ୍ଟ ଯୋଗୁଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ପେଜ୍ ଲକ୍ଷ ଲକ୍ଷ ଫଲୋୟର୍ସଙ୍କ ମନ ଜିତିଥିଲା। ବୋଷ୍ଟନ ବିଶ୍ୱବିଦ୍ୟାଳୟର ଛାତ୍ର ଅଭିଜିତ୍ ଦିପକେ କିଛି ଦିନ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି ଅଭିଯାନ ଆରମ୍ଭ କରିଥିଲେ। ମେ’ ୧୬ରୁ ଏବେଯାଏଁ ଏହାର ଇନଷ୍ଟାଗ୍ରାମ୍ ଫଲୋୟର୍ସ ସଂଖ୍ୟା ୨୦ ମିଲିୟନ୍ ଟପିଛି। ଗୁରୁବାର ଦିନ କକ୍ରୋଚ୍ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ଉପରେ ରୋକ୍ ଲାଗିଥିଲା, ପରେ ଅଭିଜିତ୍ ‘କକ୍ରୋଚ୍ ଇଜ୍ ବ୍ୟାକ୍’ ନାମରେ ଆଉ ଏକ ଆକାଉଣ୍ଟ ଖୋଲିଥିଲେ। ତାଙ୍କ ବ୍ୟକ୍ତିଗତ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଅନେକ ଥର ଚେଷ୍ଟା କରାଯାଇଥିବା ମଧ୍ୟ ସେ ଦାବି କରିଛନ୍ତି।
ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ଛତ୍ରପତି ସମ୍ଭାଜୀନଗରରେ ରହୁଥିବା ଦିପକେଙ୍କ ବାପା ଭଗବାନ ଦିପକେ ଏବଂ ମା’ ଅନିତା ଦିପକେ ଚିନ୍ତା ପ୍ରକାଶ କରିଛନ୍ତି। ଅଭିଜିତ୍ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି ବୋଲି ସେମାନେ ଭୟ କରୁଛନ୍ତି। ‘ବର୍ତ୍ତମାନର ରାଜନୀତିକୁ ଦେଖିଲେ ଭୟ ଲାଗିବା ସ୍ୱାଭାବିକ’ ବୋଲି ତାଙ୍କ ବାପା କହିଛନ୍ତି। ସେପଟେ ଭାରତ ଫେରିଲେ ତାଙ୍କୁ ଗିରଫ କରାଯିବ ବୋଲି ଖୋଦ୍ ଅଭିଜିତ୍ ମଧ୍ୟ ଆଶଙ୍କା ପ୍ରକାଶ କରିଥିଲେ। ତେଣୁ ଭବିଷ୍ୟତରେ ପୁଅର ଅଡ଼ୁଆ ବଢ଼ିବା ଭୟରେ ଅଛନ୍ତି ତାଙ୍କ ବାପା-ମା’।
କକ୍ରୋଚ୍ ଜନତା ପାର୍ଟିକୁ ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ବ୍ୟଙ୍ଗାତ୍ମକ ପେଜ୍ ବୋଲି ଦର୍ଶାଯାଉଥିଲେ ମଧ୍ୟ, ଏହାର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ପୂର୍ବରୁ ଆମ୍ ଆଦମୀ ପାର୍ଟି ସହ ସିଧାସଳଖ ଜଡ଼ିତ ଥିଲେ। ସୋସିଆଲ ମିଡିଆ ରେକର୍ଡ ଏବଂ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ଅନୁସାରେ, ସେ ଆପ୍ ଦଳର ସୋସିଆଲ ମିଡିଆ ଟିମ୍ରେ ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ଏବଂ ଦଳ ପାଇଁ ଅନେକ ଡିଜିଟାଲ୍ କ୍ୟାମ୍ପେନ୍ ପରିଚାଳନା କରୁଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଓ ବିରୋଧୀ ରାଜନୈତିକ ସମର୍ଥକଙ୍କ ଅଭିଯୋଗ ଯେ, CJP ଆକାଉଣ୍ଟରୁ ଅଧିକାଂଶ ବ୍ୟଙ୍ଗ କେବଳ କେନ୍ଦ୍ର ସରକାର (BJP) କିମ୍ବା ଅନ୍ୟ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରି କରାଯାଉଥିଲା, କିନ୍ତୁ ଆମ୍ ଆଦମୀ ପାର୍ଟି ବିରୁଦ୍ଧରେ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା। ସମାଲୋଚକଙ୍କ ଅନୁସାରେ, ‘କକ୍ରୋଚ୍ ଜନତା ପାର୍ଟି’ କୌଣସି ସାଧାରଣ ବ୍ୟଙ୍ଗାତ୍ମକ ପେଜ୍ ନୁହେଁ, ବରଂ ଆପ୍ ଦଳର ଏକ ‘ପ୍ରକ୍ସି’ (Proxy) ଆକାଉଣ୍ଟ ଭାବେ ବ୍ୟବହୃତ ହେଉଛି, ଯାହାଦ୍ୱାରା ହାସ୍ୟରସର ବାହାନାରେ ବିରୋଧୀ ଦଳଗୁଡ଼ିକ ଉପରେ ରାଜନୈତିକ ଆକ୍ରମଣ କରାଯାଇପାରିବ।
