FeaturedLatestNews

ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ଚାଲିବ ଇଭି ବୋଟ୍

ଭୁବନେଶ୍ୱର (ସଂକେତ ଟିଭି): ଏଣିକି ରାଜ୍ୟର ପ୍ରମୁଖ ଜଳଭିତ୍ତିକ ପର୍ଯ୍ୟଟନ ସ୍ଥଳୀରେ ଚାଲିବ ପରିବେଶ ଅନୁକୂଳ EV ବୋଟ୍ ବା ବୈଦ୍ୟୁତିକ ଡଙ୍ଗା । ଡିଜେଲ୍ ବୋଟ୍ ଯୋଗୁଁ ହେଉଥିବା ପ୍ରଦୂଷଣ ଓ ବଢୁଥିବା ଇନ୍ଧନ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ।

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫ଟି ସ୍ଥାନରେ ଥିବା ପାରମ୍ପରିକ କିମ୍ବା ଡିଜେଲ୍ ବୋଟ୍ କୁ ବଦଳାଇ EV ବୋଟ୍ ରେ ପରିଣତ କରାଯିବ । ଏଥିପାଇଁ OTDC ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି ।

କେଉଁ ସ୍ଥାନରେ କେତେ ଆସନ ବିଶିଷ୍ଟ ବୋଟ୍?

  • କୋରାପୁଟର କୋଲାବ ପାଇଁ ୩୦ ଆସନ ବିଶିଷ୍ଟ ବୋଟ୍
  • ସମ୍ବଲପୁରର ହୀରାକୁଦ ପାଇଁ ୨ଟି ସ୍ଥାନରେ ଯଥାକ୍ରମେ ୨୦ ଓ ୧୦ ଆସନ ବିଶିଷ୍ଟ ବୋଟ୍
  • କେନ୍ଦ୍ରାପଡ଼ାର ଭିତରକନିକା ପାଇଁ ୨୦ ଆସନ
  • ଖୋର୍ଦ୍ଧା ଚିଲିକାର ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବିଳାସପୂର୍ଣ୍ଣ ବୋଟ୍

ସବୁଠାରୁ ବଡ଼ କଥା ହେଲା, ପର୍ଯ୍ୟଟକଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବୋଟ୍ ଗୁଡ଼ିକରେ EV ସହିତ ସୋଲାର ତଥା ସୌରଶକ୍ତି ଏବଂ ସିଏନଜି ବ୍ୟବହାରର ମଧ୍ୟ ସୁବିଧା ରହିବ ।

ରାଜ୍ୟରେ ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀରେ ବୋଟିଂ ସୁବିଧା ରହିଛି । ବିଶେଷକରି ଚିଲିକା, ତାମ୍ପରା, ଅଂଶୁପା, ସିଲ୍ଭର୍ ସିଟି ବୋଟ୍ କ୍ଲବ୍, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ, ଭିତରକନିକା ଆଦି ସ୍ଥାନରେ EV ସୁବିଧା ମିଳିପାରିବ । ସେହିପରି ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନ ଗୁଡ଼ିକରେ EV ବୋଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ପରୀକ୍ଷାମୂଳକ ଭାବରେ ଗ୍ରହଣ କରାଯାଇଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା OTDC ଏନେଇ ଏକ ଟେଣ୍ଡର ଆହ୍ୱାନ କରିଛି । ଯେଉଁ ଏଜେନ୍ସି ଟେଣ୍ଡର ପାଇବ, ସେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପାଇଁ ୫ଟି ବିଳାସପୂର୍ଣ୍ଣ କାଟାମାରାନ୍, ସୋଲାର ତଥା EV ବୋଟ୍ ଚଲାଇବ ।

ଏପଟେ ପଞ୍ଚାୟତରୁ ବ୍ଲକ, ତହସିଲରୁ ଜିଲ୍ଲା – ସବୁ ସ୍ତରରେ ସରକାରୀ କ୍ଷେତ୍ରରେ ଆଗାମୀ ଦିନରେ ବ୍ୟବହାର ହେବ EV (ବୈଦ୍ୟୁତିକ ଯାନ) । କୌଣସି ନୂଆ ଡିଜେଲ, ପେଟ୍ରୋଲ ଭଡ଼ା ଗାଡ଼ି ଆଉ ସରକାରୀ ସ୍ତରରେ ବ୍ୟବହାର ହେବନାହିଁ । ଏହା ସହିତ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଏଣିକି EV ଗାଡ଼ି ଚଲାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ପରିବେଶ ସୁରକ୍ଷିତ ରହିବା ସହ ପ୍ରଦୂଷଣ ମୁକ୍ତ ହେବ କ୍ୟାମ୍ପସ ।

ଏନେଇ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, “ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ଆଧୁନିକ ଓ ପରିବେଶ ଅନୁକୂଳ କରିବା ଦିଗରେ ସରକାର ଗୁରୁତ୍ୱ ଦେଉଛନ୍ତି । ଡିଜେଲ୍ ବୋଟ୍ ପରିବର୍ତ୍ତେ EV ବୋଟ୍ ଚାଲୁ ହେଲେ ଇନ୍ଧନ ଖର୍ଚ୍ଚ କମିବା ସହିତ ଜଳାଶୟ ଅଞ୍ଚଳରେ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ । ଆଗାମୀ ଦିନରେ ରାଜ୍ୟର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟାୟକ୍ରମେ EV ବୋଟ୍ ସେବା ବିସ୍ତାର କରାଯିବ ।”