CrimeFeaturedLatestNews

କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଜବତ

ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି (ବୁଧବାର) ରାଜେଶଙ୍କ ଘର ସମେତ ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ ଯାଜପୁରରେ ଭିଜିଲାନ୍ସ ଚଢ଼ାଉ କରିଛି।

ଚଢ଼ାଉ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଅଫିସ ଚାମ୍ବର, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୋହ୍ଲସିଂଘ ଗାଁ ସ୍ଥିତ ପୈତୃକ ଘର ଓ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୟାବଜାର ସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି। ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୧୧ ଡିଏସପି, ୯ ଇନ୍ସପେକ୍ଟର, ୮ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ଵାରା ଜାରି ହୋଇଥିବା ଯାଞ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ଭିଜିଲାନ୍ସ ଟିମ୍ ରାଜେଶଙ୍କ ଘରୁ ବହୁ ପରିମାଣର ସମ୍ପତ୍ତି ଠାବ କରିଛି। ଏପରିକି ପ୍ଲଟ୍, ଫାର୍ମ ହାଉସ, ଟଙ୍କା, ସୁନା ଆଦି ମଧ୍ୟ ଠାବ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜେଶଙ୍କ ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ଲେନ-୮ରେ ପ୍ଲଟ୍ ନଂ. ୨୧୦-ବି ସ୍ଥିତ ୩୦୦୦ ବର୍ଗଫୁଟରେ ଥିବା ୩ ମହଲା କୋଠା ଠାବ ହୋଇଛି। ଏଥିସହ ଢେଙ୍କାନାଳ ଜିଲ୍ଲା ଭାପୁର ବିମ୍ବୋଳ ଅଞ୍ଚଳରେ ଗୋଟିଏ ଦୁଇ ମହଲା କୋଠା ସମେତ ଫାର୍ମ ହାଉସ ମଧ୍ୟ ଠାବ ହୋଇଛି। ଏଥିସହ ରାଜେଶଙ୍କ ମୋଟ୍ ୫ଟି ପ୍ଲଟ୍ ଥିବା ଜଣାପଡିଛି। ଏହା ମଧ୍ୟରୁ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଓ ବିମ୍ବୋଳ ଅଞ୍ଚଳରେ ୪ ପ୍ଲଟ୍ ରହିଛି। ତେବେ ଘର ଓ ପ୍ଲଟର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ଉଇଙ୍ଗ୍ ହିସାବ କରୁଛି।

ସେହିପରି ରାଜେଶଙ୍କ ଘରୁ ନଗଦ ୬ ଲକ୍ଷ ୨୩ ହଜାର ଟଙ୍କା ମିଳିଛି। ଏଥିସହ ସେ ୬୦.୦୯ ଲକ୍ଷର ଜମାରାଶି ରଖିଥିବା ଜଣାପଡିଛି। ତେବେ ଘରୁ ମିଳିଥିବା ସୁନା ଅଳଙ୍କାରର ଓଜନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବଡ଼ କଥା ହେଉଛି, ରାଜେଶଙ୍କ ଘରୁ ୧୩.୪୭ ଲକ୍ଷ ଟଙ୍କାର ବିମାନ ଟିକେଟ୍ ଠାବ କରାଯାଇଛି। ତେଣୁ ବିଭିନ୍ନ ଦେଶକୁ ରାଜେଶ ବୁଲିବାକୁ ଯାଇଥିବା ଏଥିରୁ ପ୍ରମାଣ ମିଳିଛି। ସେହିପରି ତାଙ୍କ ପାଖରୁ ୨ଟି ଚାରିଚକିଆ ଯାନ (Hyundai Sportz & Honda City) ଓ ୨ଟି ଦୁଇ ଚକିଆ ଯାନ ଠାବ କରାଯାଇଛି।