FeaturedLatestNews

କୋ-ଅପରେଟିଭ୍ ବ୍ୟାଙ୍କରୁ ୧. ୮ କୋଟି ଠକେଇ ମାମଲା, ପ୍ରେମୀଯୁଗଳ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): କୋରାପୁଟ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ (KCC) ବ୍ୟାଙ୍କ୍ ମାଲକାନଗିରି ଶାଖାରୁ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କା ଆତ୍ମସାତ୍ ଘଟଣାରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ତୀବ୍ର ଅନୁସନ୍ଧାନ ଜାରି ରଖିଛି। ତଦନ୍ତ ବେଳେ ଏହି ଠକେଇର ବଡ଼ ରହସ୍ୟ ଫଟାଫଟି ବାହାରି ଆସିଛି।

ଗିରଫ ହୋଇଥିବା ବ୍ୟାଙ୍କ ପରିଚାଳକ ସୁଧାଂଶୁ ଖରାଙ୍କୁ ରିମାଣ୍ଡରେ ନେଇ ଭିଜିଲାନ୍ସ ଅଧିକ ପଚରାଉଚରା କରିବା ପରେ ଠକ ଯୋଡ଼ିଙ୍କ ଲିଙ୍କ୍ ସାମ୍ନାକୁ ଆସିଥିଲା। ଭିଜିଲାନ୍ସ ପକ୍ଷରୁ ଆଜି ଏହି ଠକ ଯୋଡ଼ିଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନୃସିଂହ ପ୍ରସାଦ ଖମାରି ଓ ସୁଶ୍ରୀ ନିବେଦିତା ତରାଇ (ଓରଫ୍ ସୁଶ୍ରୀ ସୁଲଗ୍ନା)।

ଭିଜିଲାନ୍ସ ସୂଚନା ଅନୁସାରେ, ଗିରଫୀରୁ ବଞ୍ଚିବାକୁ ସୁଧାଂଶୁ ହଡ଼ପ କରିଥିବା ଟଙ୍କା ମଧ୍ୟରୁ ୬୩ ଲକ୍ଷ ଟଙ୍କା ଏହି ଠକ ଯୋଡ଼ିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ଉଭୟେ ଦୀର୍ଘଦିନ ଧରି ଲିଭ-ଇନ୍ ରିଲେଶନସିପରେ ରହୁଥିଲେ।

ଅଭିଯୁକ୍ତ ଦ୍ୱୟଙ୍କ ଭୁବନେଶ୍ୱରସ୍ଥିତ ଘର ଯାଞ୍ଚ କରାଯିବା ବେଳେ ୩୩ଟି ମୋବାଇଲ୍, ଡେସ୍କଟପ୍, ହଡ଼ପ ଟଙ୍କାରେ କିଣାଯାଇଥିବା ସୁନା ଅଳଙ୍କାର, ଡ୍ରୋନ୍, କ୍ୟାମେରା ଆଦି ଜବତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମାଣ ଲୁଚାଇବା ପାଇଁ ୩୩ଟି ମୋବାଇଲ୍ ମଧ୍ୟରୁ ୨୭ଟିକୁ ଭାଙ୍ଗି ଦିଆଯାଇଛି। ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରିବାକୁ ଭିଜିଲାନ୍ସ ପ୍ରକ୍ରିୟା ଆରମ୍ଭ କରିଛି।

ଅଭିଯୁକ୍ତ ପ୍ରେମୀଯୁଗଳଙ୍କ ୨୫ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସର ବ୍ୟାଙ୍କିଙ୍ଗ୍ ବିଶେଷଜ୍ଞମାନେ ଯାଞ୍ଚ କରୁଛନ୍ତି। ସେହିପରି ଉଭୟଙ୍କ ଦ୍ୱାରା ଖୋଲାଯାଇଥିବା ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟକୁ ମଧ୍ୟ ତନଖି କରାଯାଉଛି। ଯାଞ୍ଚ ପରେ ଉଭୟଙ୍କ ପାଖରୁ ଆହୁରି ଅଧିକ ପରିମାଣର ଟଙ୍କା ମିଳିପାରେ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି।

ଗିରଫ ହୋଇଥିବା ପ୍ରେମୀଯୁଗଳଙ୍କ ନାଁରେ ପୂର୍ବରୁ ଏକାଧିକ ଠକେଇ ମାମଲା ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେମାନେ ଅଭ୍ୟାସଗତ ଭାବେ ଅନେକ ଲୋକଙ୍କୁ ଠକି ଆସିଛନ୍ତି। ନୃସିଂହଙ୍କ ବିପକ୍ଷରେ ବେଙ୍ଗାଲୁରୁ କମିଶନରେଟ୍ ପୋଲିସରେ ୧୪ ଲକ୍ଷ ଟଙ୍କାର ଠକେଇ ମାମଲା ରହିଛି। ସେହିପରି ଜଗତସିଂହପୁରରେ ଉଭୟ ୩୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ବାରିପଦା, ପାରାଦ୍ୱୀପ ଓ ଭୁବନେଶ୍ୱରରେ ମଧ୍ୟ ସେମାନେ ଠକେଇ କରିଥିବା ଭିଜିଲାନ୍ସର ଆଶଙ୍କା ରହିଛି।

ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ଅଭିଯୁକ୍ତ ଶାଖା ପରିଚାଳକ ସୁଧାଂଶୁଙ୍କ ସହ ଫେସ୍ବୁକରେ ସୁଶ୍ରୀ (ନିବେଦିତା)ଙ୍କ ଯୋଗାଯୋଗ ହୋଇଥିଲା। ଏହାପରେ ଉଭୟେ ମିଶି ବ୍ୟାଙ୍କ ଠକେଇ କରିବାକୁ ଯୋଜନା କରିଥିଲେ।

ଅର୍ଥ ହଡ଼ପରେ ବ୍ୟାଙ୍କ ପରିଚାଳକ ସୁଧାଂଶୁଙ୍କ ହାତ ଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଭିଜିଲାନ୍ସ ମେ’ ୫ (ମଙ୍ଗଳବାର)ରେ ଗିରଫ କରିଥିଲା। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା (ନମ୍ବର ୪ ଓ ୫) ପଞ୍ଜୀକୃତ କରାଯାଇଛି। ସୁଧାଂଶୁଙ୍କୁ କୋର୍ଟଚାଲାଣ କରାଯିବା ପରେ ରିମାଣ୍ଡରେ ଆଣି ଭିଜିଲାନ୍ସ ତାଙ୍କୁ ଜେରା କରୁଛି। ମାଲକାନଗିରିର କୃଷକମାନେ ଋଣ ବାବଦକୁ ଜମା କରିଥିବା ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କାକୁ ସେମାନଙ୍କ ଖାତାରେ ନ ଜମା କରି ଅଭିଯୁକ୍ତ ପରିଚାଳକ ନିଜ ଖାତାକୁ ଟ୍ରାନ୍ସଫର୍ କରି ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା।