FeaturedLatestNews

ଆଣ୍ଡାମାନ ଛୁଇଁଲା ମୌସୁମୀ: କେରଳରେ ୨୬ ତାରିଖରେ ପ୍ରବେଶ ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ପାଗ ଅନୁକୂଳ ହେଲା, ଆଉ ଆଣ୍ଡାମାନ ଛୁଇଁଲା ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ (ପୋର୍ଟ ବ୍ଲେୟାର) ସହିତ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ।

ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଅଧିକ ରହୁଥିବାରୁ କେରଳରେ ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । ତେବେ ଏହି ଆକଳନ ଦିନ ଆଗ ପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ୱାଭାବିକ ସମୟ ଜୁନ୍ ୧ ତାରିଖ। ଗତବର୍ଷ ନିର୍ଦ୍ଧାରିତ ଆକଳନର ୮ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ, ଯାହାକି ୧୬ ବର୍ଷର ରେକର୍ଡ ଭାଙ୍ଗିଥିଲା । ୨୦୦୯ ମସିହାରେ ମେ’ ୨୩ ତାରିଖରେ ଅର୍ଥାତ ୯ ଦିନ ପୂର୍ବରୁ ମଧ୍ୟ ମୌସୁମୀର ଶୀଘ୍ର ଆଗମନ ହୋଇଥିଲା।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ରହିଛି । ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନଥିଲେ ହେଁ, କାଳବୈଶାଖୀ ବର୍ଷା ପ୍ରଭାବରେ ଆଗାମୀ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା, ଝଡ଼ ପବନ ଓ ବଜ୍ରପାତ ଜାରି ରହିବ ।