EducationFeaturedLatestNews

ଯୁକ୍ତ ୨ ପରୀକ୍ଷା: ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ବର୍ଷ ଯୁକ୍ତ ୨ ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ରେଜଲ୍ଟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା ଘୋଷଣା କରିଛନ୍ତି। କୌଣସି ଗୋଟିଏ ବିଷୟରେ ଉନ୍ନତି ପାଇଁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ଯେଉଁ ପରୀକ୍ଷାର୍ଥୀ ଜଣଙ୍କ ପାସ୍ କରିଛନ୍ତି, ସେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ।

୨୦୨୬ ମସିହାରେ, ସମସ୍ତ ବିଷୟରେ ପଞ୍ଜୀକୃତ ହୋଇ ସବୁଥିରେ ପାସ୍ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପରୀକ୍ଷା ଦେଇପାରିବେ। ରି-ଚେକିଂ ପାଇଁ ମେ’ ୨୭ ତାରିଖ ସୁଦ୍ଧା ଆବେଦନ କରିହେବ। ଆସନ୍ତାକାଲି ଠାରୁ ଛାତ୍ରଛାତ୍ରୀମାନେ ଡିଜିଲକରରୁ ମାର୍କସିଟ୍ କପି ପାଇପାରିବେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ବୃଦ୍ଧି ପାଇଛି। ଯୁକ୍ତ ଦୁଇ ପରୀକ୍ଷାରେ ପୁଣି ଥରେ ଛାତ୍ରୀମାନେ ଚମକିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

ଛାତ୍ରଙ୍କ ପାସ୍ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଛି। ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ରହିଛି। ଏଥିରେ ଛାତ୍ରଙ୍କ ପାସ୍ ହାର ୮୬.୬୭ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି। ବିଜ୍ଞାନରେ ପାସ୍ ହାର ୮୮.୮୨ ପ୍ରତିଶତ ରହିଛି। ଏଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪ ପ୍ରତିଶତ ରହିଛି। ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୭୭.୬୨ ପ୍ରତିଶତ ରହିଛି। ସାରା ରାଜ୍ୟରେ ସମ୍ବଲପୁରରେ ସର୍ବାଧିକ ପାସ୍ ହାର ରହିଛି।

ଚଳିତ ବର୍ଷ ଫେବ୍ରୁଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା। ୪ ଲକ୍ଷ ୧ ହଜାର ୬୨୩ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ୩ ଲକ୍ଷ ୯୮ ହଜାର ୯୦ ଛାତ୍ରଛାତ୍ରୀ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୫୪ ହଜାର ୧୧୯, ବିଜ୍ଞାନରେ ୧ ଲକ୍ଷ ୧୩ ହଜାର ୮୨୬, ବାଣିଜ୍ୟରେ ୨୪ ହଜାର ୨୮୯ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୫୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।