ଆସନ୍ତା ୧୬ ଜୁଲାଇରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ୧୬ ଜୁଲାଇ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ଶୁକ୍ରବାର ରାଜ୍ୟ ଅତିଥି ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସ୍ନାନଯାତ୍ରାଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପର୍ବପର୍ବାଣୀ ଓ ନୀତିକାନ୍ତି, ଶାନ୍ତିଶୃଙ୍ଖଳାର ସହ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଉପରେ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ।”
ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଦଇତାପତି ନିଯୋଗଠାରୁ ଆରମ୍ଭ କରି ସମସ୍ତ ସେବାୟତ, ନିଯୋଗ ଏବଂ ରାଜ୍ୟବାସୀଙ୍କ ଏକାନ୍ତ ସହଯୋଗର ଆବଶ୍ୟକତା ରହିଛି। ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି।
ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଦଇତାପତି ନିଯୋଗ ଓ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିରେ ରଥଯାତ୍ରା ସମୟରେ ଶୃଙ୍ଖଳିତ ଦର୍ଶନ, ଆବଶ୍ୟକ ସ୍ଥାନରେ ସ୍ୱତନ୍ତ୍ର ବାରିକେଡିଂ, ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ସହ ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ରଥଯାତ୍ରା ପାଇଁ ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ରଥକାଠ, ରଥ ଦଉଡ଼ି, ରଥ କପଡ଼ା ସହ ନୀତିକାନ୍ତି ପାଇଁ ଆବଶ୍ୟକ ଝୁଣା ଓ ଚନ୍ଦନକାଠ ଭଳି ସାମଗ୍ରୀର ମହଜୁଦ ନେଇ ସେ ଅବଗତ କରାଇଥିଲେ।
ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂ, ଦଇତାପତି ନିଯୋଗ ସଭାପତି ଗଣେଶ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
