ମାର୍କୋ ରୁବିଓଙ୍କ ୪-ଦିନିଆ ଭାରତ ଗସ୍ତ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ନିମନ୍ତ୍ରଣ
ନୂଆଦିଲ୍ଲୀ(ସଂକେତ ଟିଭି): ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ତାଙ୍କ ଚାରି ଦିବସୀୟ ଭାରତ ଗସ୍ତରେ ଶନିବାର ନୂଆଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ, ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟରେ ରୁବିଓଙ୍କୁ ସ୍ବାଗତ କରି କହିଛନ୍ତି ଯେ, ଦୁହେଁ ବ୍ୟାପକ ବିଶ୍ଵ ରଣନୈତିକ ସହଭାଗୀତାରେ ନିରନ୍ତର ପ୍ରଗତି, ଆଞ୍ଚଳିକ ଓ ବିଶ୍ଵ ଶାନ୍ତି ଏବଂ ସୁରକ୍ଷା ସମ୍ପର୍କିତ ବିଷୟରେ ଆଲୋଚନା କରିଛନ୍ତି। ଭାରତ ଓ ଆମେରିକା ବିଶ୍ଵ ପାଇଁ ନିବିଡ଼ ଭାବରେ କାମ କରିବେ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି।
ରୁବିଓଙ୍କ ଏହି ଗସ୍ତ ମେ ୨୬ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କ୍ବାଡ୍ (QUAD) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୂର୍ବରୁ ହୋଇଛି, ଯାହା ଭାରତ-ଆମେରିକା ରଣନୈତିକ ସମନ୍ଵୟ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ। ରୁବିଓ ରବିବାର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ମଙ୍ଗଳବାର ସେ କ୍ୱାଡ୍ ବୈଠକରେ ଯୋଗ ଦେବେ।
ଏହାପୂର୍ବରୁ ଶନିବାର ପୂର୍ବାହ୍ନରେ ରୁବିଓ କୋଲକାତାରେ ପହଞ୍ଚି ମଦର ଟେରେସାଙ୍କ ମିଶନାରିଜ୍ ଅଫ୍ ଚାରିଟିର ମୁଖ୍ୟାଳୟ ମଦର ହାଉସ୍ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ସେ ଆଗ୍ରା ଓ ଜୟପୁର ଯାତ୍ରା କରିବାର ସମ୍ଭାବନା ରହିଛି। ମାର୍କୋ ରୁବିଓ ମେ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ।
