ବିଦ୍ୟୁତ କାଟ ବନ୍ଦ ନହେଲେ ଆନ୍ଦୋଳନ କରିବ କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଆନ୍ଦୋଳନ କରିବ କଂଗ୍ରେସ। ବିଦ୍ୟୁତ ଶକ୍ତିର ଅଡିଟ କରନ୍ତୁ ସରକାର। ଅଘୋଷିତ ବିଦ୍ୟୁତ କାଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ତାତି ବଢୁଥିବା ବେଳେ ବିଦ୍ୟୁତ କାଟ ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୁଃଖର କଥା, କମ୍ପାନୀ ବିଦ୍ୟୁତ ଚୋରି କରୁଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି।
ମନ୍ତ୍ରୀ କହିଥିଲେ ଯେ, ବିଦ୍ୟୁତ କାଟ ହେଲେ ଦଣ୍ଡ ଦିଆଯିବ। ତେବେ କେତେ ଅଧିକାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ତାହାର ହିସାବ ଦିଅନ୍ତୁ। ପୂର୍ବ ମାସରେ ୨୪ ରୁ ୩୦ ଘଣ୍ଟା ବିଦ୍ୟୁତ କାଟ ହୋଇଥିଲା। ଚଳିତ ମାସରେ ୨୦ ଦିନ ଭିତରେ ୩୦ ଘଣ୍ଟାରୁ ଅଧିକ ଲାଇନ କଟା ହେଲାଣି।
ସେହିପରି ବିଦ୍ୟୁତ ସେଭିଂ କଥା କହୁଛନ୍ତି ସରକାର। ବିଦ୍ୟୁତ କାଟକୁ ସମର୍ଥନ କରୁଛନ୍ତି ରାଜ୍ୟ ସରକାର। ନିୟମ ଅନୁସାରେ ବିଦ୍ୟୁତ ଉପଭୋକ୍ତା ପ୍ରକୋଷ୍ଠ ନିର୍ମାଣ ହେବା କଥା, କିନ୍ତୁ ତାହା ହୋଇନାହିଁ। ବିଦ୍ୟୁତ ଶକ୍ତିର ଅଡିଟ୍ କରିବାକୁ ଆମେ ଦାବି କରୁଛି। କିନ୍ତୁ ସରକାର ଶୁଣୁନାହାନ୍ତି।
ତେଣୁ ଆମେ ଦାବି କରୁଛି ତୁରନ୍ତ ବିଦ୍ୟୁତ ଶକ୍ତିର ଅଡିଟ ହେଉ, ନଚେତ୍ ସାରା ରାଜ୍ୟରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଂଗ୍ରେସ।
