FeaturedLatestNews

ଜୁନରେ ହେବ ଓଡ଼ିଶା ଉପରେ ଶକ୍ତିଶାଳୀ ଏଲ୍-ନିନୋ ମାଡ଼ 

ଭୁବନେଶ୍ୱର (ସଂକେତ ଟିଭି): ୧୯୮୨, ୧୯୮୭, ୨୦୦୨ ଏବଂ ୨୦୦୯। ଏଲ୍-ନିନୋ ବର୍ଷରେ ଓଡ଼ିଶା ଭୋଗିଥିଲା ଭୟଙ୍କର ମରୁଡ଼ି। ପ୍ରାୟ ସବୁ ଜିଲ୍ଲାରେ ବର୍ଷା ଅଭାବ ସହ ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ଭାଙ୍ଗି ପଡ଼ିଥିଲା।

୨୦୦୨ ମସିହା ଆଧୁନିକ ଓଡ଼ିଶା ପାଇଁ ସବୁଠାରୁ ଭୟାନକ ମରୁଡ଼ି ବର୍ଷ ଥିଲା। ଜୁଲାଇ ଏବଂ ଅଗଷ୍ଟ ଭଳି ମୁଖ୍ୟ ବର୍ଷା ମାସରେ ସପ୍ତାହ ସପ୍ତାହ ଧରି ଆଦୌ ବର୍ଷା ହୋଇନଥିଲା। ନଦୀ-ନାଳ, ଡ୍ୟାମ୍ ଶୁଖିଗଲା। ଧାନ ରୁଆ ଏବଂ ବେଉଷଣ ସମୟରେ ବର୍ଷା ନହେବାରୁ ଚାଷୀ ବଡ଼ କ୍ଷତି ସହିଥିଲେ।

୨୦୦୯ରେ ଶକ୍ତିଶାଳୀ ଏଲ୍-ନିନୋ ବର୍ଷରେ ଓଡ଼ିଶାରେ ଜଳାଶୟଗୁଡ଼ିକର ଜଳସ୍ତର ବହୁତ କମିଯାଇଥିଲା। ପଶ୍ଚିମ ଓଡ଼ିଶାରେ ପିଇବା ପାଣି ପାଇଁ ହାହାକାର ସ୍ଥିତି ଦେଖା ଦେଇଥିଲା। ପ୍ରବଳ ତାତି, ମରୁଡ଼ି ଦେଖା ଦେଇଥିଲା।

ତେଣୁ ୨୦୨୬ରେ ଶକ୍ତିଶାଳୀ ଏଲ୍-ନିନୋ ଦେଖାଦେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଏଲ୍-ନିନୋକୁ ନେଇ ବଡ଼ ଅପଡେଟ୍ ଆସିଛି। ଏଲ୍-ନିନୋ ବିକଶିତ ହୋଇନି, ନ୍ୟୁଟ୍ରାଲ ସ୍ଥିତିରେ ରହିଛି ବୋଲି କହିଛନ୍ତି ଆଇଏମ୍ଡି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଏଲ୍-ନିନୋ ହେବାର ସମ୍ଭାବନା ରହିଛି। ମୌସୁମୀ ବାୟୁକୁ ପ୍ରଭାବିତ କରେ ଏଲ୍-ନିନୋ। ପ୍ଲସ୍ ମାଇନସ୍ ୯୦ ପ୍ରତିଶତ କମ୍ ବର୍ଷା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ତେବେ ଏଲ୍-ନିନୋ ବର୍ଷରେ ବଙ୍ଗୋପସାଗରରେ ବାତ୍ୟା ସଂଖ୍ୟା ସାଧାରଣ ଅପେକ୍ଷା କିଛି ମାତ୍ରାରେ କମିପାରେ। କିନ୍ତୁ ବାତ୍ୟାର ଭୟ ସମ୍ପୂର୍ଣ୍ଣ ଦୂର ହୁଏନାହିଁ। ବଙ୍ଗୋପସାଗର ପାଣି ସବୁବେଳେ ଗରମ ରହୁଥିବାରୁ, ଯଦି କୌଣସି ସମୟରେ ଆକାଶର ପବନ ଅନୁକୂଳ ହୋଇଯାଏ, ତେବେ ହଠାତ୍ ସାଧାରଣ ଲଘୁଚାପ ମଧ୍ୟ ଭୟଙ୍କର ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଇପାରେ।

ଏଲ୍-ନିନୋ ଶୀତ ଦିନକୁ ମଧ୍ୟ ପ୍ରଭାବିତ କରେ। ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତ କମିପାରେ। କିନ୍ତୁ କୁହୁଡ଼ି ବଢ଼ିପାରେ। ଏଲ୍-ନିନୋ ପ୍ରଭାବ ୨୦୨୭ର ପ୍ରଥମ ୬ ମାସ ପର୍ଯ୍ୟନ୍ତ ରହିପାରେ। ତେଣୁ ଆଗାମୀ ବର୍ଷର ଜଳ ପରିଚାଳନା ଆହୁରି ଚିନ୍ତାଜନକ ହୋଇପାରେ।