ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ, ହୋଇପାରନ୍ତି ରାଜ୍ୟସଭା ସାଂସଦ
ନୂଆଦିଲ୍ଲୀ(ସଂକେତ ଟିଭି): ବିଜେଡି ଛାଡିବାର ୨୪ ଘଣ୍ଟା ନପୁରୁଣୁ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ତେବେ ସୁଜିତ କୁମାର ଓ ମମତାଙ୍କ ଢାଞ୍ଚାରେ ପୁନର୍ବାର ରାଜ୍ୟସଭାକୁ ଯାଇପାରନ୍ତି ଦେବାଶିଷ।
ଗତକାଲି ଦେବାଶିଷ ଉଭୟ ରାଜ୍ୟସଭା ସାଂସଦ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ନୂଆଦିଲ୍ଲୀରେ ରାଜ୍ୟସଭା ଉପାଧ୍ୟକ୍ଷଙ୍କୁ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପତ୍ର ପଠାଇଥିଲେ। ବିଜେଡିରେ ଅବହେଳା ପାଇଁ ଦଳ ଛାଡିଲି ବୋଲି କହିଥିଲେ ଦେବାଶିଷ।
ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ଉପସ୍ଥିତରେ ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ ହୋଇଛନ୍ତି।
ଗତକାଲି ଦେବାଶିଷ ଇସ୍ତଫା ପତ୍ରରେ ଦର୍ଶାଇଥିଲେ, “ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି। ରାଜ୍ୟସଭାକୁ ମନୋନୀତ କରିଥିବାରୁ ଦଳ ଓ ଦଳର ସଭାପତିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି। କଟକ ଓ ରାଜ୍ୟର ପ୍ରସଙ୍ଗକୁ ଜାତୀୟ ସ୍ତରରେ ଉଠାଇବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଦଳର ସ୍ୱାର୍ଥ ପ୍ରତି ନିଜକୁ ସର୍ବଦା ଉତ୍ସର୍ଗ କରିଛି। ଦୀର୍ଘ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଦଳ ପାଇଁ କାର୍ଯ୍ୟ କରିଛି। ଯୋଜନାବଦ୍ଧ ଭାବେ ଦଳରେ ମୋତେ ଅଣଦେଖା କରୁଥିବା ଅନୁଭବ କରୁଛି। ଦଳ ମୋର ସେବା ଚାହୁଁନାହିଁ ବୋଲି ଅନୁଭବ କରୁଛି। ତେଣୁ ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଛି।”
ବିଜେଡି ଟିକେଟରେ ଦେବାଶିଷ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଥରେ ତିର୍ତ୍ତୋଲ ଓ ଦୁଇ ଥର କଟକ ବାରବାଟୀରୁ ସେ ବିଧାନସଭା ଆସିଛନ୍ତି। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ତିର୍ତ୍ତୋଲ ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଦୁଇଥର ବାରବାଟୀର ବିଧାୟକ ହୋଇଛନ୍ତି। ସେହିପରି ୨୦୨୪ ରେ ଦଳ ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇଥିଲା। ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ।
ବିଭିନ୍ନ ସମୟରେ ଦଳର ସଭାପତି ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଛି ବୋଲି ଦେବାଶିଷ ଅଭିଯୋଗ କରିଆସୁଥିଲେ। ଜାଣିଶୁଣି ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରୁଥିଲେ। ସେଥିପାଇଁ ଦଳ ପକ୍ଷରୁ ମିଳିଥିବା ବରିଷ୍ଠ ଉପସଭାପତି ପଦକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ୱାର୍କଫ ବିଲ ପ୍ରସଙ୍ଗରେ ଦଳର ଷ୍ଟାଣ୍ଡ ପରିବର୍ତ୍ତନ ନେଇ ଦେବାଶିଷ ଖୋଲାଖୋଲି ସମାଲୋଚନା କରିଥିଲେ। ଏଥିପାଇଁ ସେ ଭିକେ ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରିଥିଲେ। ସେହିପରି ଗତ କିଛି ମାସ ହେଲା ଦେବାଶିଷ ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ଦୂରେଇ ରଖୁଥିଲେ।
ଦେବାଶିଷ ବିଜେପିରେ ଯୋଗ ଦେବା ପରେ, ଏହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ଗତବର୍ଷ ବିଜେଡି ବରିଷ୍ଠ ନାଗରିକ ସେଲର ଉପସଭାପତି ପଦ ଛାଡିଥିଲେ ଦେବାଶିଷ। ଏ ସମ୍ପର୍କରେ ଜଣାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନିଜ ଅସନ୍ତୋଷ ଝାଡିବା ସହ ଦଳର ଗୁମର ଖୋଲିଥିଲେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ।
