ପୁଣେରେ ବିଷାକ୍ତ ମଦ ପିଇ ଗୋଟିଏ ଦିନରେ ୧୭ ମୃତ
ପୁଣେ(ମହାରାଷ୍ଟ୍ର) (ସଂକେତ ଟିଭି): ବିଷାକ୍ତ ମଦ ପିଇ ଗୋଟିଏ ଦିନରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ପୁଣେ ସହରର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଣେର ହଡପସର, ଦୋପଡି ଓ ଫୁଗେବାଡି ଅଞ୍ଚଳରେ ଏଭଳି ଅଭିଯୋଗ ଆସିଛି। ବିଷାକ୍ତ ମଦ ପିଇବା କାରଣରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆହତମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ ଏହି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏହି ମଦ ମୃତ୍ୟୁ ମାମଲାରେ ରାଜ୍ୟ ଅବକାରୀ ବିଭାଗ ଯୋଗେଶ ୱାନଖେଡେ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ ପିମ୍ପରି-ଖିଞ୍ଚୱାଡ ଓ ପୁଣେରେ ବିଷାକ୍ତ ସ୍ପିରିଟ୍ ସପ୍ଲାଏ କରୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ଯୋଗେଶ ଆତ୍ମସମର୍ପଣ କରିଥିଲା।
ଏହି ଘଟଣାରେ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଅବୈଧ ଭାବେ ଦେଶୀ ମଦ ବିକ୍ରି ଅବାଧରେ ଚାଲିଛି, ଯାହାଫଳରେ ଏପରି ଘଟଣା ଘଟିଛି। ପୋଲିସ ପ୍ରଶାସନର ଅବହେଳାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜନୈତିକ ଅଙ୍ଗନରେ ମଧ୍ୟ ଏହି ଘଟଣା ସରଗରମ ହୋଇଉଠିଛି। ଏନସିପି ନେତା ତଥା ପୂର୍ବତନ ମେୟର ଯୋଗେଶ ବହଲ ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି। ତେବେ ପିମ୍ପରି-ଖିଞ୍ଚୱାଡରେ ହୋଇଥିବା ୮ଟି ମୃତ୍ୟୁ ଅନ୍ୟ କାରଣରୁ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ସମଗ୍ର ଘଟଣାରେ ଦାୟୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
