FeaturedGeneralLatest

ଉତ୍ତରପ୍ରଦେଶରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୬ ଜଣ ଶ୍ରମିକଙ୍କ ମୃତ୍ୟୁ

ଲକ୍ଷ୍ମୌ (ସଂକେତ ଟିଭି): ଉତ୍ତର ପ୍ରଦେଶର ହମିରପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ଗୁରୁବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ ଓ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ସେଠାରେ କାମ କରୁଥିବା ୬ (ଛଅ) ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) କର୍ମଚାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ହମିରପୁର ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ଏପର୍ଯ୍ୟନ୍ତ ୫ (ପାଞ୍ଚ) ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ କରିଛନ୍ତି। ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।

ପୋଲିସ ସୂଚନା ଅନୁସାରେ, ମୃତକମାନେ ହେଲେ: ଲୋକେନ୍ଦ୍ର ନିଷାଦ (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮), ସଭାଜିତ (୩୦) ଏବଂ ପୁଷ୍ପେନ୍ଦ୍ର ସିଂହ ଚୌହାନ (୩୪)। ଆଉ ଜଣେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋରାକାନ୍ଦର ପରସାନିଠାରୁ ହମିରପୁରର ନୈଥି ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ଏହି ପୋଲଟି ବେତୱା ନଦୀ ଉପରେ ନିର୍ମାଣ କରାଯାଉଥିଲା। ଗୁରୁବାର ରାତି ପ୍ରାୟ ୩ (ତିନି)ଟା ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ପୋଲର ଏକ ସ୍ଲାବ୍ ଖସି ପଡ଼ିଥିଲା। ସେହି ସମୟରେ କିଛି ଶ୍ରମିକ ପୋଲର ଗୋଟିଏ ଅଂଶରେ ଶୋଇଥିଲେ, ଫଳରେ ସେମାନେ ଭଗ୍ନାବଶେଷ ତଳେ ଫସି ଯାଇଥିଲେ।

ସୂଚନା ପାଇ ସ୍ଥାନୀୟ ଗ୍ରାମବାସୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରମିକମାନଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। “ହମିରପୁର ଜିଲ୍ଲାର ବେତୱା ନଦୀରେ ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଜୀବନହାନୀ ଅତ୍ୟନ୍ତ ଦୁଃଖଦ। ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା ରହିଛି। SDRF ସହ ସମନ୍ୱୟ ରଖି ଶୀଘ୍ର ଉଦ୍ଧାର କାର୍ଯ୍ୟ କରାଯାଉଛି,” ମୁଖ୍ୟମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଘଟଣାର ତୁରନ୍ତ ଅବଗତ ହୋଇ ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଏବଂ ମୃତକଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।