ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ମାସ ତୃତୀୟ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଏବଂ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ। ରାଇରଙ୍ଗପୁରରେ ନବନିର୍ମିତ ଷ୍ଟାଡିୟମ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ଏବଂ ରାଜ୍ୟ ପ୍ରଶାସନିକ ବିଭାଗ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଗାଁ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ। କଥା ଦେଇ କଥା ରଖିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି, ଆଉ ଏବେ ଆସିବାର ଯୋଜନା କରିଛନ୍ତି।
ରାଇରଙ୍ଗପୁରରେ ଓଡ଼ିଶା ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ଉତ୍ସବ ପାଳନ ହେବ। ୨୦ ତାରିଖରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ ହେବ। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେବା ପାଇଁ ସ୍ୱୀକୃତି ଦେଇଛନ୍ତି।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକଙ୍କ ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ଭାରତୀୟ ଜଙ୍ଗଲ ପରିଚାଳନା ସଂସ୍ଥାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କୁସୁମୀ ବ୍ଲକ ସୁଳିଦୁମାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସଂସ୍ଥାନ ପ୍ରତିଷ୍ଠା ହେଲେ ଓଡ଼ିଶାରେ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ହେବ।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି।
