FeaturedLatestNews

ଶିମିଳିପାଳରେ ୪ ଛୁଆଙ୍କ ମା ହେଲା ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ

ବାରିପଦା (ସଂକେତ ଟିଭି): ଶିମିଳିପାଳ ଅଭୟାରଣ୍ୟରେ ପୁଣି ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ବାଘୁଣୀ ‘ଜିନ୍ନତ’ ମା’ ହୋଇଛି। ୩ ସପ୍ତାହ ତଳେ ସେ ୪ ଟି ଛୁଆଙ୍କୁ ଜନ୍ମ ଦେଇଛି, ଯାହା ବନ୍ୟଜୀବ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି।

ବନବିଭାଗ ପକ୍ଷରୁ ସବିଶେଷ ବିବରଣୀ ପିସିସିଏଫ ୫ ତାରିଖରେ ସୂଚନା ଦେବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି।

ସୂଚନା ଅନୁସାରେ, ବାଘୁଣୀ ଜିନ୍ନତଙ୍କୁ ୨୦୨୪ ନଭେମ୍ବର ମାସରେ ମହାରାଷ୍ଟ୍ରର ତଡ଼ବା – ଅନ୍ଧାରି ଅଭୟାରଣ୍ୟରୁ ଆଣି ଶିମିଳିପାଳରେ ଛଡ଼ାଯାଇଥିଲା। ସେବେଠାରୁ ତାଙ୍କ ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖିଥିଲା। ଏବେ ସେ ସଫଳତାର ସହିତ ମା’ ହେବା ପରେ ଶିମିଳିପାଳର ବାଘ ସଂରକ୍ଷଣ ଯୋଜନାକୁ ନୂଆ ଆଶା ମିଳିଛି।

ବନ ବିଭାଗ ଅଧିକାରୀମାନେ ଏହି ଘଟଣାକୁ ଏକ ଐତିହାସିକ ସଫଳତା ଭାବେ ଦେଖୁଛନ୍ତି। ଜିନ୍ନତ ଏବଂ ତାଙ୍କ ୪ ଶାବକଙ୍କ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି। ଏହି ଖବର ପରେ ବନ୍ୟଜୀବ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଏବଂ ଶିମିଳିପାଳର ବାଘ ସଂରକ୍ଷଣ ଚେଷ୍ଟାକୁ ନୂଆ ଗତି ମିଳିଛି।