FeaturedLatestNews

ପୁରୀରେ ୩-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆରମ୍ଭ

ପୁରୀ (ସଂକେତ ଟିଭି): ବିପର୍ଯ୍ୟୟ ବିପତ୍ତିକୁ କିଭଳି ହ୍ରାସ କରାଯାଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ତାହାର ମୁକାବିଲା କିପରି କରିହେବ, ସେନେଇ ପୁରୀରେ ୩-ଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ରିକ୍ସ ଦେଶମାନଙ୍କର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗ ଦେଇ, ବିପର୍ଯ୍ୟୟ ବିପତ୍ତି ହ୍ରାସରେ ପରସ୍ପରକୁ ସହଯୋଗ କରିବା ଉପରେ ଗୁରୁତ୍ଵ ଦେଉଛନ୍ତି।

ଏହି ସମ୍ମିଳନୀରେ ବିପର୍ଯ୍ୟୟ ବିପତ୍ତି ହ୍ରାସ, ପରିଚାଳନା ପାଣ୍ଠି ଯୋଗାଣ, ଆଗୁଆ ସୂଚନା ପ୍ରଦାନ, ପ୍ରକୃତି ଆଧାରିତ ସମାଧାନ ଏବଂ ବିପର୍ଯ୍ୟୟ ସହନଶୀଳତା ମଜବୁତ କରିବା ପାଇଁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ଆଲୋଚନା କରାଯାଉଛି। ବ୍ରିକ୍ସ ରାଷ୍ଟ୍ର ସମୂହର ଦେଶ ଗୁଡ଼ିକ ଯଥା ଚୀନ୍, ବ୍ରାଜିଲ, ଇଜିପଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଏବଂ ୟୁଏଇର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଛନ୍ତି।

ଓଡ଼ିଶାର ବିଶ୍ଵସ୍ତରରେ ସ୍ଵୀକୃତିପ୍ରାପ୍ତ ବିପର୍ଯ୍ୟୟ ପ୍ରସ୍ତୁତି ପ୍ରଣାଳୀ, ବାତ୍ୟା ପରିଚାଳନାରେ ଶୂନ୍ୟ ମୃତ୍ୟୁ ହାରର ରେକର୍ଡ, ଆଗୁଆ ସୂଚନା ପ୍ରଦାନ, ସ୍ଥାନାନ୍ତରଣ ଯୋଜନା ଏବଂ ସମୁଦାୟ ଭିତ୍ତିକ ମୁକାବିଲା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଏହି ବୈଠକର ଆୟୋଜକ ରାଜ୍ୟ ଭାବେ ଚୟନ କରାଯାଇଛି।

କାର୍ଯ୍ୟକ୍ରମର ଅଂଶ ସ୍ବରୂପ, ବ୍ରିକ୍ସ ପ୍ରତିନିଧିମାନେ ପୁରୀ ରାମଚଣ୍ଡୀଠାରେ ଓଡ୍ରାଫ୍ ଦ୍ଵାରା ଜଳ ଉଦ୍ଧାର ପ୍ରସ୍ତୁତି ଓ ମୁକାବିଲାର ଏକ ପ୍ରଦର୍ଶନୀ ଦେଖିବେ। ସେହିପରି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ପ୍ରସ୍ତୁତି ଉପରେ ପ୍ରଦର୍ଶନୀ ମଧ୍ୟ ଦେଖିବେ। ଏଥିସହିତ ବ୍ରିକ୍ସ ପ୍ରତିନିଧିମାନେ ୟୁନେସ୍କୋର ବିଶ୍ଵ ଐତିହ୍ୟ ସ୍ଥଳ କୋଣାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସେପଟେ, ବ୍ରିକ୍ସ ସମ୍ମିଳନୀକୁ ଦୃଷ୍ଟିରେ ରଖି ପୁରୀ ସହର ସମେତ କୋଣାର୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, NDMAର ସଦସ୍ୟ, ବିଭାଗୀୟ ମୁଖ୍ୟ, ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ହେବେ।