FeaturedLatestNews

ବ୍ରିକ୍ସ୍ ଦେଶର ପ୍ରତିନିଧି ଦେଖିଲେ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଭାସ୍କର୍ଯ୍ୟ

ଭୁବନେଶ୍ୱର (ସଂକେତ ଟିଭି): ବ୍ରିକ୍ସ୍ (BRICS) ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ କଳା ଭାସ୍କର୍ଯ୍ୟର ମୂକସାକ୍ଷୀ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ସ୍ୱତନ୍ତ୍ର ସରକାରୀ ପ୍ରୋଟୋକଲ୍ ବ୍ୟବସ୍ଥାରେ ଏହି ବରିଷ୍ଠ ପ୍ରତିନିଧି ଦଳ ‘ବ୍ଲାକ୍ ପାଗୋଡ଼ା’ ଏବଂ ଏହାର ସମ୍ମୁଖରେ ଥିବା ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଛନ୍ତି। ପୁରୀଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଏକ ୩ ଦିନିଆ ‘ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ’ ବୈଠକ ଅନୁଷ୍ଠିତ ହୋଇଯାଇଛି।

କୋଣାର୍କରେ BRICS ପ୍ରତିନିଧି ଦଳ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଏସ୍‌ଆର୍‌ସି ରାଜେଶ ପ୍ରଭାକର ପାଟିଲ୍, ପୁରୀ ଅତିରିକ୍ତ ଜିଲ୍ଲାପାଳ ରାଜକିଶୋର ଜେନା, ପର୍ଯ୍ୟଟନ ବିଭାଗର ସହ-ନିର୍ଦ୍ଦେଶକ ଏବଂ ନିମାପଡ଼ା ଉପଖଣ୍ଡ ପୋଲିସ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଆଦରର ସହ ସୂର୍ଯ୍ୟମନ୍ଦିର ପରିସରକୁ ପାଛୋଟି ନେଇଥିଲେ।

ଭ୍ରମଣ ସମୟରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ସୂର୍ଯ୍ୟମନ୍ଦିରର ଇତିହାସ ଏବଂ ଏହାର ପଥର ଖୋଦିତ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ପ୍ରସିଦ୍ଧ ଗାଇଡ୍ ଅନିମେସ ମଲ୍ଲିକ ଓ ଦୀପକ କୁମାର ସ୍ୱାଇଁ ଅତିଥିମାନଙ୍କୁ ବାରକୋଣା ଚକ, କୋଣାର୍କର ସୂର୍ଯ୍ୟ ମୂର୍ତ୍ତି ଏବଂ ମନ୍ଦିର ଗାତ୍ରରେ ଥିବା ଚିତାକର୍ଷକ ଭାସ୍କର୍ଯ୍ୟର ବୈଜ୍ଞାନିକ ଓ ସାଂସ୍କୃତିକ ରହସ୍ୟ ବୁଝାଇଥିଲେ। ସୂର୍ଯ୍ୟମନ୍ଦିରର ଅପୂର୍ବ କଳା ଚାତୁରୀ ଦେଖି ବିଦେଶୀ ପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହାପରେ ସେମାନେ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି କୋଣାର୍କର ଗୌରବମୟ ଇତିହାସକୁ ଅତି ନିକଟରୁ ଅନୁଭବ କରି ପୁରୀ ଫେରିଯାଇଥିଲେ।

ଏହି ପ୍ରତିନିଧି ଦଳ ପ୍ରସିଦ୍ଧ ରାମଚଣ୍ଡୀସ୍ଥିତ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଯେଉଁଠାରେ ସେମାନେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳର ସମୀକ୍ଷା କରିଥିଲେ। ହାଇ-ପ୍ରୋଫାଇଲ୍ ବିଦେଶୀ ପ୍ରତିନିଧିମାନଙ୍କର ଏହି ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୋଣାର୍କ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଚଳିତବର୍ଷ ପୁରୀଠାରେ ୩ ଦିନିଆ ‘ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ’ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା BRICS ସଦସ୍ୟ ରାଷ୍ଟ୍ର ଯଥା ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE) ପରି ୧୧ଟି ପ୍ରମୁଖ ରାଷ୍ଟ୍ରର ୧୮ ଜଣ ପ୍ରତିନିଧିଙ୍କ ସମେତ ସମୁଦାୟ ୩୭ ଜଣ ବରିଷ୍ଠ ସରକାରୀ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ଏହି ଗସ୍ତରେ ସାମିଲ ଥିଲେ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଉପଦେଷ୍ଠା କମଳଲୋଚନ ମିଶ୍ର କହିଛନ୍ତି, “BRICS ରାଷ୍ଟ୍ର ପ୍ରତିନିଧି ଦଳ, ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗର ବହୁ ଅଧିକାରୀ ଓ ଭାରତ ସରକାରଙ୍କ ଅନ୍ୟ ଅଧିକାରୀବୃନ୍ଦ ଭାରତ ବୁଲିବାକୁ ଆସିଥିଲେ। ୮୦୦ ବର୍ଷ ପୂର୍ବେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦେଖି ବିଦେଶୀ ପ୍ରତିନିଧିବୃନ୍ଦ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।”